ହୀରାକୁଦ ଜଳଭଣ୍ଡାର ଥିବା ଜିଲ୍ଲାରେ ମରୁଡ଼ି!
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି । ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଥିବାବେଳେଏହି ଜିଲ୍ଲାର ସର୍ବମୋଟ ଚାଷଜମିର ମାତ୍ର ୩୨ ପ୍ରତିଶତ ଅଞ୍ଚଳ ଜଳସେଚିତ ହୋଇପାରୁଥିବା କୁହାଯାଇଛି । ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ହୀରାକୁଦ ଜଳଭଣ୍ଡାରର ପାଣିରେ କେବଳ ପୂରା ଧନକଉଡ଼ା ଓ ମାନେଶ୍ୱର ବ୍ଲକ୍ ଜଳସସେଚିତ ହେଉଛି । ହୀରାକୁଦ […]
ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଥିବା ସମ୍ବଲପୁର ଜିଲ୍ଲାରେ ମଧ୍ୟ ଅନେକ ସମୟରେ ଲାଗି ରହିଛି ମରୁଡ଼ି । ରାଜ୍ୟ ସରକାର ପ୍ରତ୍ୟେକ ଜିଲ୍ଲାର ୩୫ ପ୍ରତିଶତ ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ରଖିଥିବାବେଳେଏହି ଜିଲ୍ଲାର ସର୍ବମୋଟ ଚାଷଜମିର ମାତ୍ର ୩୨ ପ୍ରତିଶତ ଅଞ୍ଚଳ ଜଳସେଚିତ ହୋଇପାରୁଥିବା କୁହାଯାଇଛି । ସମ୍ବଲପୁର ଜିଲ୍ଲାର ୯ଟି ବ୍ଲକ୍ ମଧ୍ୟରୁ ହୀରାକୁଦ ଜଳଭଣ୍ଡାରର ପାଣିରେ କେବଳ ପୂରା ଧନକଉଡ଼ା ଓ ମାନେଶ୍ୱର ବ୍ଲକ୍ ଜଳସସେଚିତ ହେଉଛି । ହୀରାକୁଦ କମାଣ୍ଡ ଏରିଆ ଅଧୀନରେ ଥିଲେ ବି ଯୁଯୁମୁରା, ରେଂଗାଲି ଓ ଜମନକିରା ବ୍ଲକରେ ସୀମିତ ଅଂଚଳକୁ ହୀରାକୁଦ ପାଣି ମାଡ଼ୁଛି । ମାତ୍ର, ବିଭିନ୍ନ କେନାଲର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ପହଂଚି ପାରୁନାହିଁ । ଜଳାଭାବ ଯୋଗୁ ଚାଷୀମାନେ କୌଣସି ଉପାୟରେ ଖରିଫ ଫସଲ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ଅବଶ୍ୟ, ଇତିମଧ୍ୟରେ ଅଳ୍ପ କିଛି ଜମି ବିଭିନ୍ନ ଉପାୟରେ ଜଳସେଚିତ ହେଉଛି । ବୃହତ ଜଳସେଚନ ପ୍ରକଳ୍ପ ଜରିଆରେ ଯେତିକି ପରିମାଣର ଜମି ଜଳସେଚିତ ହେଉଥିବା ହିସାବକୁ ନିଆଯାଉଛି, ବାସ୍ତବରେ ସେତିକି ଜମି ଜଳସେଚିତ ହେଉ ନାହିଁ ।

ଅନ୍ୟପକ୍ଷରେ, ଜିଲ୍ଲାର ଶିଳ୍ପବିହୀନ ଓ ଆଦିବାସୀ ବହୁଳ ଉପଖଣ୍ଡ କୁଚିଣ୍ଡା ଅଂଚଳର ଜଳସେଚନ ସୁବିଧା ଯୋଗାଇବା ପାଇଁ ସରକାର ପଦକ୍ଷେପ ନେଇଥିଲେ ହେଁ ତାହା ବିଭିନ୍ନ କାରଣରୁ ବିଳମ୍ବ ହେବାରେ ଲାଗିଛି । ହୀରାକୁଦ ନଦୀବନ୍ଧ ନିର୍ମାଣ ସମୟରୁ କୁଚିଣ୍ଡା ପାଖ ଚଇତ୍ରାଠାରେ ଭେଡେନ ନଦୀ ଉପରେ ଏକ ଡ୍ୟାମ ନିର୍ମାଣ ପ୍ରସ୍ତାବ ରହିଥିଲେହେଁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ । ୨୦୦୯ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭେଡ଼େନ ଓ ଖର୍ଲା ନଦୀ ଉପରେ ଅନେକ ବ୍ୟାରେଜ ତଥା ପୋଲ ନିର୍ମାଣ ପାଇଁ ବୁଦୁଲାପାଲିଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେଥିରୁ ବୁଦୁଲାପାଲିଠାରେ ପ୍ରସ୍ତାବିତ ବ୍ୟାରେଜ ପାଇଁ ଟେଣ୍ଡର ହୋଇଥିଲେ ବି ପରବର୍ତ୍ତୀ ସମୟରେ ବାତିଲ କରାଯାଇଥିଲା । ଗତ ୨୦୨୧ ମସିହାରେ ପୁଣି ବୁଢାରଜା, କିରାଶାସନ, ଜନକଡ଼ିହିଠାରେ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ ହୋଇଥିଲା । କେଇଦିନ ତଳେ ଏହାର କାମ ଆରମ୍ଭ ହୋଇଛି । ସଇଡ଼ା ପ୍ରକଳ୍ପ ପାଇଁ ଥରେ ଟେଣ୍ଡର ବାତିଲ ହେବାପରେ ଏବେ ପୁଣିଥରେ ନୂଆ କରି ଟେଣ୍ଡର ଡକାଯାଇଛି । ଶଗଡ଼େଶ୍ୱର ନାଳା ଓ ଶଙ୍ଖଭାଙ୍ଗୁଣି ନଦୀ ଉପରେ ଡ୍ୟାମ ନିର୍ମାଣ ପ୍ରସ୍ତାବ ବି କେତେକ କାରଣରୁ ଅଟକି ରହିଛି । ସରକାର ଚାଷୀଙ୍କ ଦାବିକୁ ଅଣଦେଖା କରିବାରୁ ଅତୀତରେ ସେମାନଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି ।

ସେହିଭଳି, ରେଢ଼ାଖୋଲ ଉପଖଣ୍ଡରେ ମରୁଡ଼ି ଚିର ସହଚର । କିଛି ବର୍ଷ ତଳେ ଚିରସ୍ରୋତା ଚମ୍ପାଳି ଜୋର ଡ୍ୟାମ୍ ନିର୍ମାଣ ପାଇଁ ସର୍ଭେ ହୋଇଥିଲା । ମାତ୍ର, ସେହି ପ୍ରକଳ୍ପକୁ ଶୀତଳଭଣ୍ଡାରରେ ପଡ଼ିରହିଛି । ରେଢ଼ାଖୋଲ ଉପଖଣ୍ଡରେ ସରକାରୀ ତଥ୍ୟ ଅନୁସାରେ ୮୬ଟି ଚେକ୍ ଡ୍ୟାମ ରହିଥିଲେହେଁ ନିମ୍ନମାନର କାମ ଯୋଗୁ ବାସ୍ତବରେ ମାତ୍ର ୧୫/୧୭ଟି ଚେକ୍ ଡ୍ୟାମ୍ ଚାଷୀମାନଙ୍କ କାମରେ ଆସୁଛି । କେରାଣ୍ଡି ଯୋର ଡ୍ୟାମ୍ ରକ୍ଷଣାବେକ୍ଷଣ ଆବଶ୍ୟକତା ରହିଛି । ଜିଲ୍ଲାରେ କ୍ଷୁଦ୍ରଜଳସେଚନ ବିଭାଗ ଜରିଆରେ ଚେକ୍ ଡ୍ୟାମ୍ ନିର୍ମାଣରେ ବ୍ୟାପକ ଦୁର୍ନୀତି ପରିଲକ୍ଷିତ ହେଉଛି । ଅନ୍ତତଃପକ୍ଷେ ଖରିଫ ଧାନ ଫସଲ ବଞ୍ଚାଇବା ନିମନ୍ତେ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିବା ବେଳେ ଅଧିକାଂଶ ଚେକ୍ ଡ୍ୟାମ୍ ଉଦ୍ଦେଶ୍ୟ ସାଧନରେ ବିଫଳ ହୋଇଛି ।




