ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଆବାହକ ସୁନ୍ଦରଗଡ଼ର ଅଶୋକ ଦାଶ, ସହ ଆବାହକ ସମ୍ବଲପୁରର ପ୍ରମୋଦ ଦାଶ ଏବଂ ଝାରସୁଗୁଡ଼ାର ରଘୁମଣୀ ପଟେଲ, ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗର ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର ସଭାରେ ସଭାପତିତ୍ୱ କରିଥିବା […]

Samaya Live Picture
Published On

ସମ୍ବଲପୁର: ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ବୈଠକ ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର ଆବାହକ ସୁନ୍ଦରଗଡ଼ର ଅଶୋକ ଦାଶ, ସହ ଆବାହକ ସମ୍ବଲପୁରର ପ୍ରମୋଦ ଦାଶ ଏବଂ ଝାରସୁଗୁଡ଼ାର ରଘୁମଣୀ ପଟେଲ, ସଂପାଦକ ବିଜିତେନ୍ଦ୍ରୀୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ହୋଇ ପଶ୍ଚିମଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗର ଅଗ୍ରଗତି ଉପରେ ଆଲୋଚନା କରିଥିଲେ । ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର ସଭାରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ସରୋଜ ସାହୁ ସ୍ୱାଗତ ଭାଷଣ ଦେଇଥିଲେ ।

ଏଥିରେ ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ଦେବଗଡ଼ ପ୍ରଭୃତି ଜିଲ୍ଲାରୁ ବିଭିନ୍ନ ଓକିଲ ସଂଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ମାନ୍ୟବର ହାଇକୋର୍ଟଙ୍କୁ ଜନସାଧାରଣଙ୍କ ନ୍ୟାୟୋଚିତ ଦାବି ପ୍ରତି ଏବଂ ଆବଶ୍ୟକତାକୁ ପୂରଣ କରିବା ପାଇଁ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ମତାମତ ରଖିବା ପାଇଁ ଅନୁରୋଧ କରିବାକୁ ସଭାରେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହା ଦ୍ୱାରା ଲୋକଙ୍କ ନ୍ୟାୟିକ ଆବଶ୍ୟକତା ପୂରଣ ହୋଇପାରିବ ବୋଲି ଆଇନଜୀବୀ ପ୍ରତିନିଧିମାନେ ମତ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ସେପେଫମ୍ବର ୨୮ ତାରିଖରେ ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରେ ମାନ୍ୟବର ହାଇକୋର୍ଟଙ୍କ ଦୁଇଟି ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ର ସରକାର ଏ ବାବଦରେ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ଓଡ଼ିଶା ସରକାରଙ୍କୁ ଗତ ମାସ ୭ ତାରିଖରେ ପୁନର୍ବାର ଅନୁରୋଧ କରିଛନ୍ତି ।

୨୦୧୯ରେ ମୁଖ୍ୟମନ୍ତ୍ରୀ ବେଞ୍ଚ ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଥିବା ଘୋଷଣା କରିଥିଲେ । ଏଣୁ ରାଜ୍ୟ ସରକାର ନିଜର ୨୦୦୭ ନଭେମ୍ବର ୮ ତାରିଖର ଚିଠି ମୁତାବକ କେନ୍ଦ୍ର ସରକାରଙ୍କୁ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ପାଇଁ ସଭାରେ ଦାବି କରାଯାଇଥିଲା । ଅନ୍ୟଥା ଆସନ୍ତା ଜୁଲାଇ ମାସ ୮ ତାରିଖରେ କମିଟିର ସମସ୍ତ ଓକିଲ ସଂଘ ନିଜ ନିଜ ଅଂଚଳରେ ସଂକଳ୍ପ ଦିବସ ପାଳନ କରିବେ ଏବଂ ସେଠାର ରାଜସ୍ୱ କମିଶନର, ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ପ୍ରମୁଖଙ୍କ ଜରିଆରେ ଦାବି ନେଇ ସ୍ମାରକପତ୍ର ପ୍ରଦାନ କରିବେ ବୋଲି ବୈଠକରେ ସ୍ଥିର କରାଯାଇଛି । ଅନ୍ୟ ପକ୍ଷରେ ରାଜ୍ୟର ଅନ୍ୟତମ ସର୍ବପୁରାତନ ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର କନ୍‌ଷ୍ଟିଚୁ୍ୟଏଣ୍ଟ ସଂସ୍ଥାନ ଲାଲା ଲଜପତ ରାୟ ଆଇନ କଲେଜର ସର୍ବାଙ୍ଗୀନ ଉନ୍ନତୀ ଏବଂ ଏହାକୁ ଆଇନ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଓ ବୌଦ୍ଧ ଜିଲ୍ଲାକୁ ଉତ୍ତରାଞ୍ଚଳ ରାଜସ୍ୱ ଡିଭିଜନରେ ସାମିଲ କରିବା ପାଇଁ ଦୃଷ୍ଟି ଆକର୍ଷଣ କରିବା ସକାଶେ ମଧ୍ୟ ଓକିଲସଂଘ ମାନଙ୍କରେ ଏହି ବୈଠକରେ ପ୍ରସ୍ତାବ ଗ୍ରହଣ କରାଯାଇଛି ।