ଯୁବକଙ୍କୁ ହତ୍ୟା ପରେ ପୋଡିଦେବା ଘଟଣା , ୨୫ ଗିରଫ
ନରସିଂହପୁର : କଟକ ଜିଲ୍ଲା ନରସିଂହପୁର ମବ୍ ଲିଞ୍ଚିଂ। ହତ୍ୟା ଓ ଶବ ପୋଡ଼ିବା ଅଭିଯୋଗରେ ୨୫ ଗିରଫ । ଗୁଣି ଗାରେଡି ସନ୍ଦେହରେ ଜଣେ ଯୁବକଙ୍କୁ ଘରୁ ଡ଼ାକିନେଇ ପିଟି ପିଟି ହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କଟକ ଗ୍ରାମାଂଚଳ ପୋଲିସ । ବର୍ତ୍ତମାନ ସୁଦ୍ଧା ୨୫ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଥିବା ବେଳେ ଆଉ କିଛି ଫେରାର ଅଛନ୍ତି । ଗତ ୧୦ ତାରିଖରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ବେଳେ ଏବେ ପଦାକୁ ଆସିଛି । ମୃତକ ହେଲେ, ତାଳମୁଣ୍ଡଳି ଗ୍ରାମ ହରିଜନ ସାହିର ଶ୍ୱେତ ବେହେରାଙ୍କ ପୁଅ ଟିକନ ବେହେରା (୩୦)। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ (ଏସ୍ପି) ବିନିତ ଅଗ୍ରୱାଲ ତିଗିରିଆ ଥାନାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ଘଟଣା ପଦାକୁ ଆସିବା ପରେ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନାନୁସାରେ, ମାଣିଆବନ୍ଧ ଥାନା ଅନ୍ତର୍ଗତ ତାଳମୁଣ୍ଡୁଳି ଗ୍ରାମର ଶ୍ୱେତ ବେହେରାଙ୍କ ପୁଅ ଟିକନ ବେହେରା ରୁହନ୍ତି। ଦୀର୍ଘ ଦିନ ହେବ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲି ଯିବାରୁ ସେ ନିଜ ବଡ଼ ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ । ତେବେ ଟିକନ ଗାଁ' ରେ ଗୁଣି କରୁଥିବା ନେଇ କିଛି ଲୋକ ସନ୍ଦେହ କରୁଥିଲେ । ଏହାକୁ ନେଇ ଗତ ୧୦ତାରିଖରେ ପ୍ରାୟ ୨୫ରୁ ଊର୍ଦ୍ଧ୍ବ ଗ୍ରାମବାସୀ ମିଶି ସ୍ପଷ୍ଟ ଦିବାଲୋକରେ ଟିକନଙ୍କୁ ତାଙ୍କ ଘରୁ ବାହାରକୁ ଡାକି ଆଣିଥିଲେ । କେହି କିଛି ବୁଝିବା ପୂର୍ବରୁ ସମସ୍ତେ ମିଳିମିଶି ଘର ସମ୍ମୁଖରେ ଟିକନକୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ନିର୍ମମ ଭାବେ ହାଣି ଶରୀରକୁ ଖଣ୍ଡ ବିଖଣ୍ଡିତ କରିଦେଇଥିଲେ । ଟିକନକୁ ହତ୍ୟା ପରେ ରକ୍ତ ଜୁଡୁବୁଡୁ ମୃତଦେହକୁ ଏକ ଅଖା (ବସ୍ତା)ରେ ଭର୍ତ୍ତି କରି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲକୁ ନେଇ ଅପରାଧ ଲୁଚାଇବା ଶବକୁ ପୋଡ଼ି ପ୍ରମାଣ ନଷ୍ଟ କରିଦେଇଥିଲେ । ଘଟଣା ସମ୍ପର୍କରେ ପୋଲିସକୁ କହିଲେ ସମସ୍ତଙ୍କ ଅବସ୍ଥା ଏହିଭଳି ହେବ ବୋଲି ଟିକନଙ୍କ ପରିବାରକୁ ଧମକାଇଥିଲେ ଗ୍ରାମବାସୀ । ଘଟଣାର ଭୟାବହତା କୁ ଦେଖି ତାଙ୍କ ଭାଇ ଭାଉଜ ଘରେ ଲୁଚି ଯାଇଥିଲେ। ପରେ ପରିବାର ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ମାଣିଆବନ୍ଧ ଅଞ୍ଚଳରେ ଆତ୍ମଗୋପନ କରି ରହିଥିଲେ। ସେପଟେ ନିଜ ଶ୍ଵଶୁରଙ୍କ ଘରେ ରହୁଥିବା ଟିକନଙ୍କ ବାପା ଶ୍ୱେତ ବେହେରା ପୁଅର ଏହି କରୁଣ ପରିଣତି ବିଷୟରେ ଜାଣି ହତ୍ୟାକାଣ୍ଡର ୮ ଦିନ ପରେ ଅର୍ଥାତ୍ ମେ’ ୧୮ ତାରିଖ ରାତିରେ ମଣିଆବନ୍ଧ ଥାନାରେ ଏଫ୍ ଆଇଆର୍ (FIR) ଦାୟର କରିଥିଲେ ।
ଏହାପରେ ପୋଲିସ ତୁରନ୍ତ ଆକ୍ସନ ମୋଡ୍ କୁ ଆସିଥିଲା । କଟକ (ଗ୍ରାମାଞ୍ଚଳ) ଏସପି ବିନୀତ ଅଗ୍ରୱାଲ ଏହି ବର୍ବର କାଣ୍ଡର ତଦନ୍ତ ପାଇଁ ଆଠଗଡ଼ ଏସଡିପିଓ ବିଶ୍ୱଜିତ ମହାନ୍ତିଙ୍କ ନେତୃତ୍ୱରେ ତିନୋଟି ପୋଲିସ ଟିମ୍ ଗଠନ କରିଥିଲେ । ସାଇଣ୍ଟିଫିକ୍ ଓ ଫୋରେନ୍ସିକ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ନମୁନା ସଂଗ୍ରହ କରିଛନ୍ତି । ଜଣେ ଅଭିଯୁକ୍ତର ସ୍ୱୀକାରୋକ୍ତି ଆଧାରରେ ଜଙ୍ଗଲରୁ ଅଧାପୋଡ଼ା ଅସ୍ଥି ଓ ଶରୀରର କିଛି ଅଂଶ ଜବତ କରାଯାଇଛି । ଏପର୍ଯ୍ୟନ୍ତ ୨୫ ଜଣ ଗ୍ରାମବାସୀଙ୍କୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଚିହ୍ନଟ କରାଯାଉଛି ଏବଂ ଆଗକୁ ଗିରଫ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସୂଚନା ଦେଇଛନ୍ତି ଏସପି ବିନୀତ ଅଗ୍ରୱାଲ ।



