ପ୍ରେମ ସମ୍ପର୍କକୁ ନେଇ ସାନ ଭାଇକୁ ଗୁଳିକରି ହତ୍ୟା
ନୟାଗଡ଼ : ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳିକାଣ୍ଡ । ଗତକାଲି ନୟାଗଡ଼ ଗଣିଆ ବ୍ଲକ ପାଣ୍ଡରାସିଙ୍ଗା ଛକରେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ମୃତକ ହେଲେ ପତୁରିଆଗାଁର ରବୀନ୍ଦ୍ର କୁମାର ନାୟକ । ରବୀନ୍ଦ୍ର ନିଜ ଗ୍ୟାରେଜରେ ବସିଥିବା ବେଳେ, କାରରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାରେ ନୟାଗଡ ଏସପିଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦିଲ୍ଲୀପ ମନ୍ତ୍ରୀଙ୍କୁ ଧରିବା ସହ ବନ୍ଧୁକ ଆଉ କାର ଜବତ କରିଛି ପୋଲିସ।
ସୂଚନା ଅନୁସାରେ, ରବୀନ୍ଦ୍ର କୁମାର ନାୟକଙ୍କ ବଡଭାଇ ସୁଧାଂଶୁ ଶେଖର ନାୟକ ଖଣ୍ଡପଡା ସିଧାମଳା ଗାଁର ଦିଲ୍ଲୀପ ମନ୍ତ୍ରୀଙ୍କ ସ୍ତ୍ରୀକୁ ପ୍ରେମ କରି ପ୍ରାୟ ଏକ ବର୍ଷ ହେବ କୁଆଡେ ପଳାଇ ଯାଇଥିଲେ । ଏନେଇ ଦୁଇ ପରିବାର ମଧ୍ୟରେ ବାରମ୍ବାର ବିବାଦ ଦେଖାଦେଉଥିଲା । ୨ ଗାଁର ଭଦ୍ର ବ୍ୟକ୍ତି ଆପୋସ ଆଲୋଚନାରେ ସମାଧାନ ହୋଇଥିଲା। କିନ୍ତୁ ଗତକାଲି ହଠାତ୍ ଦୁର୍ବୃତ୍ତ ଆସି ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।




