ହୋଟେଲ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ,ଯୁବତୀ ଫେରାର
ଭୁବନେଶ୍ୱର : ହୋଟେଲ ରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ବୁବୁନା ପ୍ରଧାନ । ଏୟାରଫିଲ୍ଡ ଥାନା ପୋଖରୀପୁଟରେ ଥିବା ଏକ ଓୟୋ ହୋଟେଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘଟଣାସ୍ଥଳରୁ ତାଙ୍କ ଲିଭ-ଇନ- ପାର୍ଟନର କୁହାଯାଉଥିବା ଯୁବତୀ ଜଣକ ଫେରାର ହୋଇଯାଇଛନ୍ତି । ୬ମାସ ହେଲା ଉଭୟେ ଲିଭ୍ ଇନ୍ ରେ ରହୁଥିଲେ ।
ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ଲିଙ୍ଗରାଜ ଥାନା ପୋଲିସକୁ ଆସିଥିଲା ଫୋନ୍ କଲ୍ । ଯେଉଁଥିରେ ହୋଟେଲରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ତାଙ୍କ ବିଷୟରେ କୌଣସି ସଠିକ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ତନତନ କରି ଯାଞ୍ଚ କରୁଛି ।
ଏପଟେ,ମୃତ ଯୁବକ ବୁବୁନା ଙ୍କ ମା' କହିଛନ୍ତି ତାଙ୍କ ପୁଅ ଜଣେ ସଫ୍ଟୱେର ଇଞ୍ଜିନିୟର ଏବଂ ସେ ବାଙ୍ଗାଲୁରୁରେ ରହୁଥିଲେ । ସେ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ । ଉକ୍ତ ଯୁବତୀ ଏବଂ ତାଙ୍କ ପରିବାର ଲୋକେ ପୁଅକୁ ଡକାଇ ତାଙ୍କୁ ହତ୍ୟା କରିଛନ୍ତି । ନଚେତ ମୃତ୍ୟୁ ପାଇଁ ବାଧ୍ୟ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ପୁଲିସ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଜୋରଦାର କରିଛି ।



