ଟଙ୍କା ନଦେବାରୁ ସ୍ତ୍ରୀ ଙ୍କୁ ହତ୍ୟା
ମହିଳାମାନେ ଆଦୌ ଦୁର୍ବଳ କିମ୍ବା ଅବଳା ନୁହଁନ୍ତି, ସେମାନେ ସବଳା - ଉପମୁଖ୍ୟମନ୍ତ୍ରୀ
ଜଗତସିଂହପୁର : ମଦ ପିଇବାକୁ ଟଙ୍କା ନଦେବାରୁ ସ୍ତ୍ରୀକୁ ତେଣ୍ଟା ଭୁଷି ନୃଶଂସ ଭାବେ ହତ୍ୟା କରିଛି ସ୍ୱାମୀ । ଏଭଳି ନାରକୀୟ କାଣ୍ଡ ଘଟିଛି ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗ୍ରାମରେ । ମୃତକ ପତ୍ନୀ ହେଲେ ପୁଷ୍ପଲତା ସ୍ବାଇଁ । ମୃତଦେହକୁ ପୋଲିସ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ଦିଗାମ୍ବର ସ୍ବାଇଁକୁ ଅଟକ ରଖିଛି ପୋଲିସ। ତେବେ ସ୍ତ୍ରୀଙ୍କ ମୃତ୍ୟୁ ପରେ ସ୍ୱାମୀ ଦିଗାମ୍ବର ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ କାବୁ କରିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, କିଛିଦିନ ପୂର୍ବରୁ ସ୍ତ୍ରୀ ପୁଷ୍ପଲତାଙ୍କୁ ମିଳିଥିଲା ସୁଭଦ୍ରା ସହାୟତା ରାଶି ।ଅଭିଯୁକ୍ତ ସ୍ୱାମୀ ମଦ ପିଇବା ପାଇଁ ସ୍ତ୍ରୀଙ୍କୁ ଟଙ୍କା ମାଗିଥିଲେ। ମାତ୍ର ସ୍ତ୍ରୀ ଟଙ୍କା ଦେବାକୁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ଯୁକ୍ତିତର୍କ କ୍ରମଶଃ ଉଗ୍ରରୂପ ନେଇଥିଲା। ସ୍ୱାମୀ ରାଗିଯାଇ ଏକ ତେଣ୍ଟାରେ ସ୍ତ୍ରୀଙ୍କୁ ସାଂଘାତିକ ଆକ୍ରମଣ କରିଥିଲେ, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ସ୍ୱାମୀକୁ ତୁରନ୍ତ କାବୁ କରି ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ଜଗତସିଂହପୁର ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀ କୁ ଗିରଫ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ କିଛି ଦିନ ପୂର୍ବରୁ ମଧ୍ୟ ଏହିଭଳି ଆଉ ଏକ ଘଟଣା ଘଟିଥିଲା । ସୁଭଦ୍ରା ଟଙ୍କା ନଦେବାରୁ ସ୍ତ୍ରୀ ଙ୍କୁ ହତ୍ୟା କରିଥିଲା ସ୍ୱାମୀ । ଏହି ଘଟଣାରେ କଡା ପ୍ରତିକ୍ରିୟା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ସେ କହିଛନ୍ତି , ଅପରାଧିକ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା କାରଣ ହୋଇନଥାଇପାରେ । ମହିଳାମାନଙ୍କୁ ସଜାଗ ଓ ସଶକ୍ତ ହେବାକୁ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି , ମହିଳାମାନେ ଆଦୌ ଦୁର୍ବଳ କିମ୍ବା ଅବଳା ନୁହଁନ୍ତି, ସେମାନେ ସବଳା। ସମୟ ସମୟରେ ମହିଳାମାନଙ୍କ ଉପରେ ଅନେକ ଅତ୍ୟାଚାର ହୋଇଛି, ହେଲେ ସେମାନେ ପ୍ରତ୍ୟେକ ସ୍ଥିତିରେ ନିଜକୁ ଅଧିକ ଶକ୍ତିଶାଳୀ କରି ପ୍ରମାଣିତ କରିଛନ୍ତି। ନାରୀମାନେ ନିଜ ଶକ୍ତି ବିଷୟରେ ଭଲ ଭାବେ ଅବଗତ। ସେମାନେ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ରୂପ ଏବଂ ନିଜର ସୁରକ୍ଷା କିପରି କରିବାକୁ ହେବ, ତାହା ଭଲ ଭାବରେ ଜାଣନ୍ତି। ଏହି ନିର୍ଦ୍ଦିଷ୍ଟ ଘଟଣାଗୁଡ଼ିକ ପଛରେ ସୁଭଦ୍ରା ଯୋଜନା ବୋଧହୁଏ କାରଣ ହୋଇନଥିବ, ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ସେ କହିଛନ୍ତି।




