ସମ୍ପତ୍ତି ବିବାଦରୁ ମହିଳାଙ୍କୁ ବିଭତ୍ସ ହତ୍ୟା
ମାହାଙ୍ଗା : ଜମିବାଡ଼ି ବିବାଦକୁ ନେଇ ମହିଳାଙ୍କୁ ବିଭତ୍ସ ହତ୍ୟା । ସୋମବାର ସକାଳେ ମହିଳା ଜଣକ ନିଜ ବିଲକୁ ଯାଇଥିବାବେଳେ ସେଠାରେ ତାଙ୍କୁ ଅତି ଅମାନୁଷିକ ଭାବରେ ଆକ୍ରମଣ କରି ହତ୍ୟା କରିଛନ୍ତି ସମ୍ପର୍କୀୟ ଦାଦା ଶ୍ୱଶୁର । ମୃତକ ହେଉଛନ୍ତି ସ୍ଵର୍ଣ୍ଣଲତା ସାହୁ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅକରପଡା ଗ୍ରାମରେ ।
ଘଟଣା ଅନୁସାରେ ,ସ୍ଵର୍ଣ୍ଣଲତା ସାହୁଙ୍କ ସହିତ ତାଙ୍କ ସମ୍ପର୍କୀୟ ଦାଦା ଶ୍ଵଶୁର ଚନ୍ଦ୍ରମଣି ସାହୁଙ୍କ ସହ ପୂର୍ବରୁ ଜମିଜମା ବିବାଦ ରହି ଆସିଛି । ଆଜି ସକାଳେ ସ୍ଵର୍ଣ୍ଣଲତା ବିଲକୁ ଘାସ କାଟିବାକୁ ଯାଇଥିବା ବେଳେ, ବିଲ ମଝିରେ ଦାଦା ଶ୍ୱଶୁରଙ୍କ ପରିବାର ତାଙ୍କୁ ବିଭିନ୍ନ ମାରଣାସ୍ତ୍ର ଆକ୍ରମଣ କରିଥିଲେ। କୋଦାଳ, କଟୁରୀ, ଟାଙ୍ଗିଆ ସାହାଯ୍ୟରେ ମହିଳାଙ୍କ ମୁଣ୍ଡ, ବେକ, ଛାତି ଓ ପିଠି ଆଦି ଏକାଧିକ ସ୍ଥାନରେ ହାଣିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଵର୍ଣ୍ଣଲତାଙ୍କ ପରିବାର ଏନେଇ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ଚନ୍ଦ୍ରମଣିକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।



