ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଘୁଞ୍ଚିଲା
ବ୍ରହ୍ମପୁର : ବହୁଚର୍ଚ୍ଚିତ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା।ପୁଲିସ ଜାମିନ୍କୁ ବିରୋଧ କରିବା ସହ ତାଙ୍କ ବିରୋଧରେ ୨ଟି ମାମଲା ଥିବା କୋର୍ଟକୁ ଜଣାଇଥିଲେ। ପୁଲିସ ପକ୍ଷରୁ ଦିଆଯାଇଥିବା ପିଟିସନର ଉତ୍ତର ରଖିବା ପାଇଁ ବିକ୍ରମଙ୍କ ଓକିଲ ସମୟ ମାଗିଥିବାବେଳେ ଆସନ୍ତା ୯ ତାରିଖରେ ଜାମିନ୍ ଆବେଦନର ଶୁଣାଣି କରିବାକୁ କୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି।
ସେପଟେ ବ୍ରହ୍ମପୁର ଏଡିଜେ-୩ରେ ହତ୍ୟା ମାମଲାର ଶୁଣାଣି ହୋଇଛି । କୋର୍ଟରେ ସମସ୍ତ ତଥ୍ୟ, ସିଡିଆର୍, ଆଇପିଡିଆର ଏବଂ ଅନ୍ୟ କାଗଜାତ ଦାଖଲ କରିଛି ପୁଲିସ । ଅଭିଯୁକ୍ତଙ୍କ ଓକିଲଙ୍କୁ ଏହିସବୁ ତଥ୍ୟ ସହ ଚାର୍ଜସିଟ୍ କପି ଦିଆଯାଇଥିଲା । ବିକ୍ରମଙ୍କ ଆପତ୍ତିଜନକ ଫଟୋ, ଅଭିଯୁକ୍ତମାନେ ସହରରେ ବୁଲୁଥିବା ଭିଡିଓ ଏବଂ ଅନ୍ୟ ତଥ୍ୟ ରହିଥିବା ପେନ୍ଡ୍ରାଇଭ୍ ମଧ୍ୟ ପୁଲିସ କୋର୍ଟରେ ଦାଖଲ କରିଥିଲା ।
ଅଭିଯୁକ୍ତଙ୍କ ଓକିଲ ପେନ୍ଡ୍ରାଇଭରେ ସବୁ ତଥ୍ୟ ଅଛି କି ନାହିଁ ଯାଞ୍ଚ୍ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ। କୋର୍ଟ ସଙ୍ଗେସଙ୍ଗେ ସେ ସବୁ ଯାଞ୍ଚ୍ କରିବାବେଳେ ଅନେକ ଫୋଲ୍ଡର ଖୋଲି ନ ଥିଲା । ଏଣୁ ଅଭିଯୁକ୍ତଙ୍କ ଓକିଲ ସେହି ପେନ୍ଡ୍ରାଇଭ୍ ଫେରାଇ ଦେଇଥିଲେ । ଆସନ୍ତା ୯ରେ ପୁଣି ଏହି ମାମଲାର ଶୁଣାଣି ହେବ । ସେଦିନ ପେନ୍ଡ୍ରାଇଭ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏକ ସମ୍ବେଦନଶୀଳ ହତ୍ୟା ମାମଲାରେ ପୁଲିସ ତଥ୍ୟ ଦାଖଲ କରିବାରେ ବିଳମ୍ବ କରୁଛି । ଏମିତିକି ପେନ୍ଡ୍ରାଇଭ୍ ଓ ଅନ୍ୟ ତଥ୍ୟ ଦେଉଛି, କିନ୍ତୁ କେତେବେଳେ ଅକ୍ଷର ଦିଶୁନାହିଁ ତ ଆଉ କେତେବେଳେ ପେନ୍ଡ୍ରାଇଭ୍ରେ ଫୋଲ୍ଡର ଓପନ୍ ହେଉନି ବୋଲି କହିଛନ୍ତି ଆଇନଜୀବୀ ଚକ୍ରପାଣି ନାହାକ ।
କର୍ପୋରେଟର ମଳୟ ବିଷୋୟୀ ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଥିବା କହିଛନ୍ତି ଆଇନଜୀବୀ ଦୀପକ ପଟ୍ଟନାୟକ । ସେ କହିଛନ୍ତି ଯେ, ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଅନ୍ତରୀଣ ଜାମିନ୍ ଆବେଦନ ହୋଇଛି । ଆସନ୍ତା ୭ରେ କୋର୍ଟ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି । ବର୍ତ୍ତମାନ ବିକ୍ରମ ପଣ୍ଡା ଏମ୍କେସିଜି ସର୍ଜରୀ ବିଭାଗରେ ଚିକିତ୍ସାଧୀନ ଥିବାବେଳେ ମଳୟ ବିଷୋୟୀ ଆଇସିୟୁରେ ଅଛନ୍ତି



