ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୩୨ ଟି ପ୍ଲଟ୍ ଓ ୨ ଟି ଫାର୍ମହାଉସ ଠାବ କଲା ଭିଜିଲାନ୍ସ
ଭୁବନେଶ୍ୱର : ସତ୍ୟ ବାବୁଙ୍କ ଅସତ ସମ୍ପତି ଦେଖି ଭିଜିଲାନ୍ସ ତାଜୁବ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ସତ୍ୟନାରାୟଣ ସେଠୀଙ୍କ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ୍ ବେଳେ ସମୟରେ ସତ୍ୟନାରାୟଙ୍କର କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଜଟଣୀରେ ଏକ ୨-ବିଏଚେ୍କେ ଫ୍ଲାଟ, ବୋରିଗୁମ୍ମା ତହସିଲ ତାରାଗାଁରେ ୧୪.୩୮ ଏକର ପରିମିତ ଦୁଇଟି ଫାର୍ମହାଉସ, କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ୩୨ଟି ମୂଲ୍ୟବାନ ପ୍ଲଟ୍, ୫୦୦ଗ୍ରାମ ସୁନା ଅଳଙ୍କାର ସମେତ ୫.୪୮ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ଭିଜିଲାନ୍ସ ।
ସେହିପରି ,କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅନ୍ତର୍ଗତ ତାରାଗାଁ ମୌଜାରେ ୧୦.୦୩ ଏକର ଜମିରେ ବ୍ୟାପିଥିବା ଏକ ଫାର୍ମହାଉସ୍, ଯେଉଁଠାରେ ଆମ୍ବ ଓ ୟୁକାଲିପଟାସ୍ ବଗିଚା ରହିଛି । ସେହି ସମାନ ମୌଜାରେ ଆଉ ଏକ ୪.୩୫ ଏକର ଜମିରେ ବିସ୍ତୃତ ଫାର୍ମହାଉସ୍ ରହିଛି । କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ବୋରିଗୁମ୍ମା, କୋଟପାଡ଼ ଏବଂ ପଟ୍ଟାଙ୍ଗୀ ତହସିଲ ଅଧୀନରେ ଥିବା ୩୨ଟି ଦାମୀ ଜମିର ପଟ୍ଟା ମିଳିଛି । ଭିଜିଲାନ୍ସର ବୈଷୟିକ ଟିମ୍ ଦ୍ୱାରା ଏହି ସମସ୍ତ ଫ୍ଲାଟ୍, ଫାର୍ମହାଉସ୍ ଏବଂ ପ୍ଲଟ୍ ଗୁଡ଼ିକର ମାପଚୁପ ଏବଂ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କାର୍ଯ୍ୟ ଜାରି ରହିଛି । ଚଢ଼ାଉ ସମୟରେ ୫,୪୮,୦୦୦ ଟଙ୍କା ନଗଦ ଏବଂ ୩୦୦ ଗ୍ରାମର ସୁନା ଗହଣା ଜବତ କରାଯାଇଛି । ଏହା ବ୍ୟତୀତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ୍ ଡିପୋଜିଟ୍ ଏବଂ ଅନ୍ୟାନ୍ୟ ଆର୍ଥିକ ପ୍ରତିଷ୍ଠାନରେ କରାଯାଇଥିବା ପୁଞ୍ଜିନିବେଶର ଯାଞ୍ଚ ଚାଲିଛି । ବର୍ତ୍ତମାନ ସୁଦ୍ଧା ସେର୍ଚ୍ଚ ଅପରେସନ୍ ଶେଷ ହୋଇନଥିବାରୁ ଆଗକୁ ଆହୁରି ଅଧିକ ସମ୍ପତ୍ତି ମିଳିବା ନେଇ ସୂଚନା ମିଳିଛି ।




