ଅତିରିକ୍ତ ତହସିଲଦାରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଜଳକା
ଭୁବନେଶ୍ଵର: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ମଙ୍ଗଳବାର ସକାଳେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ । ଜିତେନ୍ଦ୍ରଙ୍କ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି । ଭିଜିଲାନ୍ସ ଚଢ଼ାଉ ବେଳେ ଘରୁ ମିଳିଛି ପୁଳା ପୁଳା ୫୦୦ ଟଙ୍କିଆ ବଣ୍ଡଲ । ଏତେ ଟଙ୍କା ଦେଖି ଭିଜିଲାନ୍ସ ତାଜୁବ୍ ହୋଇ ଯାଇଛି ।
ମଙ୍ଗଳବାର ଭୋର୍ରୁ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢ଼ାଉରେ ବଡ଼ଗଡ଼ରେ ଘର, ବଡ଼ଗଡ଼ ବ୍ରିଟ୍ କଲୋନୀରେ ତିନି ମହଲା କୋଠା, ଉତ୍ତରାରେ ୨ ବିଏଚ୍କେ ଫ୍ଲାଟ, ଖୋର୍ଦ୍ଧା ସାନପଲ୍ଲାରେ ଦୁଇ ମହଲା କୋଠା, ଭୁବନେଶ୍ଵରରେ ୩ଟି ଓ ଖୋର୍ଦ୍ଧାରେ ଗୋଟିଏ ବହୁ ମୂଲ୍ୟର ପ୍ଲଟ୍ ମିଳିଛି । ଅତିରିକ୍ତ ତହସିଲଦାରଙ୍କ ଘରୁ ୧୦୦ ଗ୍ରାମର ସୁନା ଗହଣା ମିଳିଛି । ଏହାସହ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଥିବା ଶାଶୁଙ୍କ ଘରୁ ମିଳିଛି ନଗଦ ୭୫ ଲକ୍ଷର ବିଡା ବିଡା ଟଙ୍କା । ତେବେ ଜିତେନ୍ଦ୍ରଙ୍କ ଶାଶୁ ଶଯ୍ୟାଶାୟୀ ଥିବା ବେଳେ ସେଇଠି ରୁହନ୍ତି ଜିତେନ୍ଦ୍ର । ଏବେ ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭିଜିଲାନ୍ସ ଟଙ୍କା ଗଣିବା ମେସିନ୍ ଲଗାଇ ଟଙ୍କା ଗଣତି ଜାରି ରଖିଛି ।
ସେହିଭଳି ଏସ୍ବିଆଇ ବ୍ୟାଙ୍କରେ ବାବୁଙ୍କ ଏକ ଲକର୍ ରହିଥିବା ଜଣାପଡ଼ିଛି । ବ୍ଯାଙ୍କ, ଡାକଘର ଏବଂ ଅନ୍ୟ ସ୍ଥାନରେ କେତେ ଟଙ୍କା ଜମା କରାଯାଇଛି ସେ ନେଇ ବି ଭିଜିଲାନ୍ସ ତଦନ୍ତ ଜାରି ରଖିଛି । ଚଢ଼ାଉ ବେଳେ ଗୋଟିଏ କାର୍ ସହ ଭିଜିଲାନ୍ସ ୪ଟି ବାଇକ୍ ଠାବ କରିଛି ।
ସୂଚନା ଅନୁସାରେ,୧୯୯୫ ମସିହା ନଭେମ୍ବର ୧୧ରେ ଜିତେନ୍ଦ୍ର ପଣ୍ଡା ପଶୁ ସମ୍ପଦ ବିଭାଗରେ ବରିଷ୍ଠ ଲାବୋରେଟୋରୀ ସହାୟକ ଭାବେ ନିଯୁକ୍ତି ପାଇଥିଲେ । ସେତେବେଳେ ଜିତେନ୍ଦ୍ରଙ୍କ ଦରମା ୨ ହଜାର ଟଙ୍କା ଥିଲା । ତେବେ ୩୦ ବର୍ଷ ଚାକିରୀ କାଳ ମଧ୍ୟରେ ଜିତେନ୍ଦ୍ରଙ୍କ ସମ୍ପତ୍ତି ପରିମାଣ ଦେଖି ଭିଜିଲାନ୍ସ ତାଜୁବ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ସମସ୍ତ ଜବତ ସମ୍ପତ୍ତିର ଆକଳନ ଜାରି ରହିଛି ।



