ବିଦ୍ୟା ଭାରତୀଙ୍କ ଜାମିନ ଆବେଦନ ଶୁଣାଣି ଶେଷ, ରାୟ ସଂରକ୍ଷିତ
ଭୁବନେଶ୍ୱର : ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି ଏବଂ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି । ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ଏହି ଶୁଣାଣି ଶେଷ ହୋଇଥିବା ବେଳେ ଆସନ୍ତାକାଲି (ନଭେମ୍ବର ୧୮ ତାରିଖ) ଏହାର ରାୟ ପ୍ରକାଶ ପାଇବ ।
ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରୁ ସ୍ଥାନାନ୍ତର ହୋଇଥିବା ଜାମିନ ଆବେଦନ ଉପରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ଙ୍କ ଅଦାଲତରେ ଉଭୟ ପକ୍ଷର ଯୁକ୍ତି ଶେଷ ହୋଇଛି।
ପୂର୍ବରୁ ଅକ୍ଟୋବର ୩୧ ତାରିଖରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ନଭେମ୍ବର ୨ ତାରିଖରେ ସେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ (SDJM) ଅଦାଲତରେ ଆତ୍ମସମର୍ପଣ କରିଥିଲେ। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ସୂଚନାନୁସାରେ, ୨୦୨୧ ମସିହା ଜୁଲାଇ ୧୨ତାରିଖ ରାତିରେ ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ACF) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ଅବସ୍ଥାରେ ପୋଡି ହୋଇ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ ଅଦାଲତ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ଦଫାରେ ମାମଲା ଗ୍ରହଣ କରିଥିଲେ। ପତ୍ନୀ ବିଦ୍ୟାଭାରତୀଙ୍କ ସମେତ ତତ୍କାଳୀନ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭ ମଧ୍ୟ ଏହି ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି ।




