ଚୌଦ୍ୱାର ମଣ୍ଡଳ କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା
କଟକ: ଚୌଦ୍ୱାର ମଣ୍ଡଳ କାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ୱାର୍ଡରେ ଥିବାବେଳେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ବନ୍ଦୀ ଜଣଙ୍କ ହେଲେ କଟକ ହାତୀପୋଖରୀ ଦୁର୍ଗାବଜାର ଅଞ୍ଚଳର ମହମ୍ମଦ କଲିମ । ସେ ଜେଲରେ ସାଇକିଆଟ୍ରିକ ୱାର୍ଡ ରେ ରହି ଚିକତ୍ସିତ ହେଉଥିଲେ । ତେବେ କଲିମ ଙ୍କ ପରିବାର ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଇଛନ୍ତି I
ରବିବାର ସନ୍ଧ୍ୟାରେ ଜେଲ ପକ୍ଷରୁ ଅଭିଯୋଗ ପରେ ଚୌଦ୍ୱାର ପୋଲିସ ଆତ୍ମହତ୍ୟା ମାମଲା ରୁଜୁ କରି ମୃତଦେହ ଜବତ କରିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତରୀ ଦଳ ମୃତ ଦେହ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରାଯିବ । ରାତି ପ୍ରାୟ ୧୧ଟାରେ ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୌଦ୍ବାର ଥାନାରେ ଏତଲା ଦିଆଯାଇଛି । ତେବେ ସେ କାହିଁକି ଆତ୍ମହତ୍ୟା କଲେ ସେନେଇ ଏବେ ସୁଦ୍ଧା ଜଣାପଡିନାହିଁ ।
ସୂଚନାନୁସାରେ,ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୋଲିସ ମହମ୍ମଦ କଲିମକୁ ଗିରଫ କରିଥିଲା । ଦରଘା ବଜାର ଥାନା ଅଞ୍ଚଳରେ କୌଣସି ଏକ ଗଣ୍ଡଗୋଳ ଘଟଣାରେ ପୋଲିସ କଲିମକୁ ଗିରଫ କରିଥିଲା । ସେ ମାନସିକସ୍ତରରେ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ ଡାକ୍ତରଖାନାର ୬ ନଂ ସେଲରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଚିକତ୍ସିତ ଅବସ୍ଥାରେ କଲିମ ଡାକ୍ତରଖାନା ୱାର୍ଡ ଭିତରେ ଥିବାବେଳେ ରବିବାର ଅପରାହ୍ଣରେ ପାଖରେ ଥିବା ଗାମୁଛାକୁ ବେକରେ ଗୁଡାଇ ସ୍କାଏଲାଇଟରେ ବାନ୍ଧି ଝୁଲି ପଡ଼ିଥିବା ଦେଖାଯାଇଥିଲା ।
ଅନ୍ୟପଟେ ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା କର୍ମୀ ଓ ଚିକିତ୍ସାରତ କର୍ମଚାରୀଙ୍କ ନଜର ଆଢୁଆଳରେ ସେ କେମିତି ଆତ୍ମହତ୍ୟା କଲେ ଏହା ପ୍ରଶ୍ନବାଚୀ ହୋଇଛି । ତଦନ୍ତ ପରେ ଘଟଣା ସ୍ପଷ୍ଟ ହେବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ମତ ରଖିଛନ୍ତି।



