ସରିଥିଲା ନିର୍ବନ୍ଧ, ବିବାହ ପୂର୍ବରୁ ଯୁବତୀଙ୍କୁ ନିର୍ମମ ହତ୍ୟା
ଜଗତସିଂହପୁର : ହସ ଖୁସିରେ ସରିଥିଲା ନିର୍ବନ୍ଧ । ଆଉ ଦିନ କେଇଟା ପରେ ବାଜି ଥାଆନ୍ତା ସାହାନାଇ । ମାତ୍ର ଏହାପୂର୍ବରୁ ନିର୍ମମ ହତ୍ୟାର ଶିକାର ହୋଇଛନ୍ତି ଯୁବତୀ । ବିଲରୁ ଉଦ୍ଧାର ହେଲା ଅର୍ଦ୍ଧଉଲଗ୍ନ ମୃତଦେହ । ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କାଠିଆପଡା ସଦର ଥାନା ଅଞ୍ଚଳରେ ।
ସୂଚନାନୁସାରେ, ଜଗତସିଂହପୁର ଥାନା କାଠିଆପଡ଼ା ଡଲି ଓରଫ୍ ସସ୍ମିତା ଦାସଙ୍କର ଗତ ରବିବାର ଦିନ ମାମୁ ଘର ଧୁଆଁପାରିରେ ନିର୍ବନ୍ଧ ସରିଥିଲା ଏବଂ ମେ' ୧୦ତାରିଖରେ ବିବାହ ସ୍ଥିର ହୋଇଥିଲା । ଏହାପରେ ସସ୍ମିତା ମଙ୍ଗଳବାର କାଠିଆପଡା ସ୍ଥିତ ନିଜ ଘରକୁ ଫେରିଥିଲେ । ତେବେ ସନ୍ଧ୍ୟାବେଳେ ପଡିଶା ଘରକୁ ଯାଇ ଆଉ ଘରକୁ ଫେରିନଥିଲେ ସସ୍ମିତା । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁର ଏକ ବିଲରେ ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପରିପାର୍ଶ୍ଵିକ ଅବସ୍ଥାକୁ ଦେଖି ଝିଅକୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।ସେପଟେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ତନାଘନା ଆରମ୍ଭ କରିଛି ।ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।



