ପୁଣି ଅଶାନ୍ତ ହେଲା ରାଜଧାନୀ, ୨୪ ଘଣ୍ଟା ମଧ୍ୟରେ ୨ଟି ବିଭତ୍ସ ହତ୍ୟା

ପୁଣି ଅଶାନ୍ତ ହେଲା ରାଜଧାନୀ, ୨୪ ଘଣ୍ଟା ମଧ୍ୟରେ ୨ଟି ବିଭତ୍ସ ହତ୍ୟା
Samaya Live News Picture
Published On

ଭୁବନେଶ୍ୱର : ଅସୁରକ୍ଷିତ ରାଜଧାନୀ । ୨୪ଘଣ୍ଟା ମଧ୍ୟରେ ଘଟିଛି ଦୁଇ ଦୁଇଟି ବିଭତ୍ସ ହତ୍ୟା । ଗତ ୩ ତାରିଖ ବିଳମ୍ବିତ ରାତିରେ ରାଜଧାନୀ ଛାତି ଉପରେ ଥିବା ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧ ନଗରରେ ଘର ଭିତରେ ବୃଦ୍ଧାଙ୍କୁ ଘରୋଇ ସହାୟକ ହତ୍ୟା ଘଟଣାକୁ ୨୪ ଘଣ୍ଟା ନବିତୁଣୁ ପୁଣି ଗତ କାଲି ରାତିରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ । ମାଉସୀ ମା' ଛକ ଓଭର ବ୍ରିଜ ଉପରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି । ମୃତକ ହେଲେ ତପନ ନାୟକ  ଓରଫ ତପୁ (୩୫) । ସେ ନିର୍ମାଣ ସଂସ୍ଥାର ଜଣେ କର୍ମଚାରୀ ସହିତ ଜଣେ ଜେସିବି ଡ୍ରାଇଭର ଥିଲେ ଏବଂ ତାଙ୍କ ଘର ସତ୍ୟନଗର ଅଞ୍ଚଳରେ ବୋଲି ସୂଚନା ମିଳିଛି । ତପନ ନାୟକଙ୍କୁ ତାଙ୍କର ୨ସାଙ୍ଗ ହତ୍ୟା କରିଥିବା ଜଣା ପଡିଛି । ଗୁଳିକାଣ୍ଡରେ ଗୁରୁତର ଅବସ୍ଥାରେ ତପନ ନାୟକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏକ ଘରୋଇ ହସ୍ପିଟାଲ  ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ । 

ସୂଚନାନୁସାରେ, ବୁଧୁବାର ରାତିରେ ଶିଶୁପାଳଗଡ ତପନ ନାୟକ ଓ ଅଭିଯୁକ୍ତମାନେ ଏକାଠି ମଦ ପିଇବା ପରେ ନିଶାସକ୍ତ ଅବସ୍ଥାରେ ଝଗଡା ହୋଇଥିଲା । ପରେ ଅଭିଯୁକ୍ତମାନେ ତପନଙ୍କ ଛାତିକୁ ଗୁଳି କରି ହତ୍ୟା କରିଥିଲେ । ପରେ  ଗୁଳି କରିଥିବା ବନ୍ଧୁକକୁ ଗଙ୍ଗୁଆ ନାଳରେ ଫିଙ୍ଗି ମୃତଦେହକୁ ମେଡିକାଲକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଏହାପରେ ସେଠାରୁ ତାଙ୍କୁ ପୁଣି ଏକ ଘରୋଇ ମେଡିକାଲ କୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତପନଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ମାନେ ତାଙ୍କ ପରିବାରକୁ ଏକ ମନଗଢା କାହାଣୀ ଶୁଣାଇ କହିଥିଲେ ମାଉସୀମା ଛକ  ବ୍ରିଜ ଉପରେ କେହି ଦୁର୍ବୃତ୍ତ ଆସି ତପୁଙ୍କୁ ଗୁଳିକରି ପଳାଇଛି । କିନ୍ତୁ ପୋଲିସ ତଦନ୍ତରୁ ମାଉସୀ ମନ୍ଦିର ଛକ ନୁହେଁ ଶିଶୁପାଳଗଡ଼ରେ ଘଟଣା ଘଟିଥିଲା ବୋଲି ଜଣାପଡିଥିଲା । ତେବେ ପୋଲିସ ତଦନ୍ତରୁ ମାଟି, ଗୋଡି ଆଦି ବେପାର ବିବାଦରୁ ଗୁଳିକାଣ୍ଡ ଘଟିଥିବା ବେଳେ ଧଉଳି ଥାନା ପୁଲିସ ମାମଲା ରୁଜୁ କରି ଘଟଣାରେ ସମ୍ପୃକ୍ତ ୩ ଜଣକୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ଯୁବକଙ୍କ ମଧ୍ୟରୁ ଜଣଙ୍କ ଘର ଶିଶୁପାଳଗଡ଼ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । 

Tags: