ହସ୍ପିଟାଲରେ ଆଖି ବୁଜିଲେ ଆତ୍ମାହୁତି ପୀଡିତା
ସୁନ୍ଦରଗଡ଼ : ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ଆଖି ବୁଜିଲେ ରାଜଗାଙ୍ଗପୁରର ଜଳିଯାଇଥିବା ନାବାଳିକା ଛାତ୍ରୀ । ଗତକାଲି ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ଶୁକ୍ରବାର ମଧ୍ୟରାତ୍ରିରେ ଛାତ୍ରୀ ଜଣକ ନିଜ ରୁମରେ ପଢୁଥିବାବେଳେ ଜଳନ୍ତା ଅବସ୍ଥାରେ ଉଦ୍ଧର କରିଥିଲେ ପରିବାର ଲୋକେ । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ଝାରସୁଗୁଡା ହସ୍ପିଟାଲ ଏବଂ ପରେ ରାଉରକେଲା ସ୍ଥିତ ଆଇଜିଏଚ ବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୮୦ ପ୍ରତିଶତ ଯାଇ ଯାଇଥିଲା । ଆଗାମୀ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଡାକ୍ତର କହିଥିଲେ ।
ସେପଟେ ସୁନ୍ଦରଗଡ଼ ପୋଲିସ ଘଟଣାର ତଦନ୍ତ କରି ସନ୍ଦେହରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍ ପଠାଇଛି । ମୃତ ଛାତ୍ରୀ ଜଣକ +୩ ୨ୟ ବର୍ଷରେ ପଢୁଥିଲେ । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ପୋଲିସ ତଦନ୍ତ ଜାରି ରହିଛି ।
ଅନ୍ୟପଟେ,ଝିଅକୁ ମାରିଦେବା ପାଇଁ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିବାବେଳେ ପୋଲିସ କହିଛି , ସେ ନିଜେ ନିଜ ଦେହରେ ନିଆଁ ଲଗାଇ ଥିଲେ । ଏହି ଘଟଣାରେ ଅଧିକ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।


