ଶୁଭମିତ୍ରା ହତ୍ୟା ମାମଲା, ୬୮୦ ପୃଷ୍ଠାର ଚାର୍ଜ ଶିଟ ଦାଖଲ
ଭୁବନେଶ୍ବର : କନଷ୍ଟେବଳ ଶୁଭମିତ୍ରା ନିଖୋଜ ଏବଂ ହତ୍ୟା ମାମଲା । ଭୁବନେଶ୍ୱର SDJM କୋର୍ଟ ରେ ୬୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ୟାପିଟାଲ ଥାନା ପୋଲିସ । ଏହି ଘଟଣାରେ ୪୨ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଏଥିରେ ଶୁଭମିତ୍ରାଙ୍କ ସ୍ବାମୀ କନଷ୍ଟେବଳ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିବା ବେଳେ, ଦୀପକଙ୍କ ସମ୍ପର୍କୀୟ ଭାଇ ବିନୋଦ ଓ ଜଟିଆକୁ ଅଭିଯୁକ୍ତ ଦର୍ଶାଯାଇଛି । ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ । ପୁଲିସ ଏହି ମାମଲାରେ ବିଏନ୍ଏସ୍ ୧୦୨(୧),୨୩୮, ୬୧-୨ ଧାରା ଲଗାଇଥିବା ସୂଚନା ମିଳିଛି । ବୀମା ଓ ଅର୍ଥ ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା କରିଥିଲା ।
ହତ୍ୟା ପରେ ମୃତଦେହ କୁ ବିନୋଦ ଓ ଜଟିଆ ସହାୟତାରେ ମାଟିତଳେ ପୋତି ଦେଇଥିଲା । ଶୁଭମିତ୍ରାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଡିଏନଏ ରିପୋର୍ଟ, କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ, ଇନସ୍ୟୁରାନସ କାଗଜପତ୍ର ଆଦି ଅନେକ ଦସ୍ତାବିଜ୍ ମଧ୍ୟ ଦାଖଲ ହୋଇଛି । ଦୋଷୀ ସାବ୍ୟସ୍ତ ପାଇଁ ଦୀପକ ସମେତ ଅନ୍ୟ ତିନି ଜଣକ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି । ଏବେ ମାମଲାର କୋର୍ଟରେ ହେବ ଟ୍ରାଏଲ୍ ।
ସୂଚନାନୁସାରେ ,ସେପ୍ଟେମ୍ବର ୬ ତାରିଖରେ ଟ୍ରାଫିକ କନଷ୍ଟେବଳ ଶୁଭାମିତ୍ରା ନିଖୋଜ ଥିବା ନେଇ ପରିବାର ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ହୋଇଥିଲା । ଗତ ୨୦୨୪ ଜୁଲାଇ ମାସରେ ଶୁଭମିତ୍ରାଙ୍କୁ ପୁଲିସ କମିଶନରେଟ୍ରେ ଆକାଉଣ୍ଟ ବିଭାଗରେ କିରାଣୀ କାମ କରୁଥିବା ଦୀପକ ରାଉତ ଦ୍ୱିତୀୟ ବିବାହ କରିଥିଲା । ସେ ଶୁଭମିତ୍ରାଙ୍କ ପାଖରୁ ୧୦ ଲକ୍ଷ ଟଙ୍କା ଧାର ନେଇଥିଲା I ତେବେ ଶୁଭମିତ୍ରା ଧାର ଟଙ୍କା ମାଗିବାରୁ ଦୀପକ ଓ ଶୁଭମିତ୍ରା ଙ୍କ ମଧ୍ୟରେ ବଚସା ହୋଇଥିଲା I ପରବର୍ତ୍ତୀ ସମୟରେ ଦୀପକ ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଜିଲ୍ଲା ଘଟଗାଁର ଏକ ଜଙ୍ଗଲରେ ପୋତି ଦେଇଥିଲା । ଶୁଭମିତ୍ରା ନିଖୋଜ ମାମଲାର ପୁଲିସ ତଦନ୍ତ ସମୟରେ ଦୀପକ ହତ୍ୟାକାରୀ ବୋଲି ଜଣାପଡିଥିଲା I ଏହାପରେ ଜେସିବି ସାହାଯ୍ୟରେ ମୃତଦେହ ବାହାର କରି ହତ୍ୟା ଘଟଣାରେ ଅଭିଯୁକ୍ତ ସ୍ୱାମୀ ଦୀପକ ରାଉତକୁ ଗିରଫ କରାଯାଇଥିଲା ।


