ମର୍ଣ୍ଣିଂୱାକରେ ଯାଇଥିବା ଛାତ୍ରଙ୍କୁ ହତ୍ୟା
ଭଦ୍ରକ : ମର୍ଣ୍ଣିଂୱାକ ହେଲା କାଳ । ଆଜି ସକାଳେ ମର୍ଣ୍ଣିଂ ୱାକରେ ଯାଇଥିବାବେଳେ ଘର ନିକଟ ଶୌଚାଳୟ ଭିତରୁ ମିଳିଲା ଛାତ୍ରଙ୍କ ମୃତଦେହ। ତାଙ୍କ ମୁହଁ ଏବଂ ହାତକୁ ଏକ ଗାମୁଛାରେ ବନ୍ଧା ଯାଇଥିବା ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ଏଭଳି ଘଟଣାକୁ ନେଇ ଭଦ୍ରକ ଜିଲ୍ଲା ଚରମ୍ପା ହାଇସ୍କୁଲ ରୋଡ଼ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମୃତ ଛାତ୍ର ହେଲେ ସମ୍ବିତ କୁମାର ବିଶ୍ବାଳ। ସେ +3 ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି ।
ସୂଚନାନୁସାରେ, ଆଜି ସକାଳେ ସାଙ୍ଗମାନଙ୍କ ସହ ମର୍ଣ୍ଣିଂୱାକ ରେ ଯାଇଥିଲେ ସମ୍ବିତ । କିନ୍ତୁ ଅନେକ ସମୟ ଧରି ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ତାଙ୍କ ଘର ବାହାରେ ଥିବା ପାଇଖାନାରେ ମୃତଦେହ ମିଳିଥିଲା । ସମ୍ବିତଙ୍କ ବେକ ଓ ମୁହଁରେ ଗାମୁଛା ବନ୍ଧା ଯିବା ସହ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ପାଇଥିଲେ । କିନ୍ତୁ ସମ୍ବିତଙ୍କ ବାପା କହିଛନ୍ତି ପୁଅ ମର୍ଣ୍ଣିଂୱାକ ରେ ଘରକୁ ଫେରିଥିଲେ । ପରେ ତାଙ୍କୁ ଆଉ ଘରେ ଦେଖିବାକୁ ମିଳି ନଥିଲା । ସମ୍ବିତ୍ଙ୍କ ମୃତଦେହ ଶୌଚାଳୟରୁ ଉଦ୍ଧାର ପରେ ପୋଲିସକୁ ଖବର ଦେଇଥିଲେପାରିବାର ଲୋକେ । ଘଟଣାସ୍ଥଳରେ ଭଦ୍ରକ ଟାଉନ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି । ସମ୍ବିତକୁ ତାଙ୍କ ସାଙ୍ଗମାନେ କିମ୍ବା ପାରିବାରିକ ଶତ୍ରୁତା ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।



