ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ - ପ୍ରଭାତୀ ପରିଡା
ଭୁବନେଶ୍ୱର : ଭଦ୍ରକ ଜିଲା ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କଡା ଆକ୍ସନ ନିଆଯିବ ବୋଲି କହିଛନ୍ତି । ସେ କହିଛନ୍ତି, ଏହା ଏକ ଲଜ୍ଜାଜନକ ଘଟଣା । ଦୋଷୀ ବିରୋଧରେ କଡ଼ାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି ମାମଲାରେ ତ୍ୱରିତ ବେଗରେ ଦୋଷୀକୁ ଗିରଫ କରୁଛି ପୋଲିସ । ଭାଗିଦାରୀ କରି ଝିଅମାନଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରକୁ ରୋକିବାକୁ ପଡିବ । ଏବେ ସରକାରଙ୍କର ବଡ଼ ଦାୟିତ୍ୱ ହେଉଛି ତ୍ୱରିତ ବେଗରେ ଆକ୍ସନ । ପୋଲିସ ଏବଂ ଆଇନ ତା ବାଟରେ ଯିବ, ଯାହା ଆବଶ୍ୟକତା ତାହା କରାଯିବ । ଏଭଳି ଘଟଣା ସମାଜରେ ଆଉ ନ ହେଉ । କେବଳ ସରକାରର ନୁହେଁ ସମାଜର ବି ଦାୟିତ୍ୱ ଅଛି। ମହିଳା କମିଶନର ସଦସ୍ୟା ନ୍ୟାୟିକ ତଦନ୍ତ କରିବେ ବୋଲି ସେ ଘୋଷଣା କରିଛନ୍ତି ।
ସେପଟେ ଆସନ୍ତାକାଲି ଚାନ୍ଦବାଲି ବନ୍ଦ ଡାକରା ଦେଇଛି ବିଜେଡି। ସକାଳ ୬ରୁ ଦିନ ୧୨ଟା ଯାଏ ଚାନ୍ଦବାଲି ବ୍ଲକରେ ବନ୍ଦ ଡାକରାଦିଆଯାଇଛି ସ୍ଥାନୀୟ ବିଜେଡି ବିଧାୟକ ବ୍ୟୋମକେଶ ରାୟ ସୂଚନା ଦେଇଛନ୍ତି। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ସବୁ ଦିନେ ଗୋଟିଏ ଘଟଣା ଘଟୁଛି । ସରକାର କାହା କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ସରକାର କହୁଛନ୍ତି ଯାହା ହେଉ ପଛେ ଆମେ କ୍ଷମତାରେ ରହିବୁ । ଏ କଥା କ’ଣ ମୁଖ୍ୟମନ୍ତ୍ରୀ ଜାଣୁ ନାହାନ୍ତି । ସରକାରଙ୍କ କୌଣସି କଥାକୁ ନିଘା ନାହିଁ ।
ସେହିପରି କଂଗ୍ରେସର ବରିଷ୍ଠ ନେତା ଦିଗମ୍ବର ଦାସ ଘଟଣାକୁ ନିନ୍ଦା କରିବା ସହ ପୋଲିସ ପ୍ରଶାସନ ଓ ବିଜେପି ସରକାରଙ୍କୁ ଦାୟୀ କରିଛି । ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ନ୍ୟାୟ ଦାବି କରିଛନ୍ତି ।
ଏହି ସମ୍ବେଦନଶୀଳ ଘଟଣାରେ ପ୍ରତିକ୍ରିୟା ଦେଇ ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର କହିଛନ୍ତି,'' ଲୋକେ ଉତ୍ତେଜିତ ଥିଲେ , ଆଇନଶୃଙ୍ଖଳା କୁ ନିୟନ୍ତ୍ରଣ କରିଛୁ । ବହୁତ୍ ଟିମ୍ ଗଠନ ହୋଇଥିଲା । ସାକ୍ଷୀ କେହି ନଥିଲେ । ୧୨ ଘଣ୍ଟାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଳିଷ୍ଠ ପ୍ରମାଣ ପାଇଁ ଡାକ୍ତର ଶବ ବ୍ୟବଚ୍ଛେଦ କରିବେ । ସାଇଣ୍ଟିଫିକ ଟିମ୍ ତଦନ୍ତ କରିଛି । ବର୍ତ୍ତମାନ ସୁଦ୍ଧା ଜଣେ ଅଭିଯୁକ୍ତ ସଂପୃକ୍ତି ପ୍ରମାଣ ମିଳିଛି । ଅଧିକ ଲୋକଙ୍କ ସଂପୃକ୍ତିକୁ ନେଇ ତଦନ୍ତ ଚାଲିଛି । ଅଭିଯୁକ୍ତ ନିକ ରୁ ସମ୍ବେଦନଶୀଳ ସାମଗ୍ରୀ ପାଇଛୁ । ଅଭିଯୁକ୍ତ ଘଟଣା ସ୍ବୀକାର କରିଛି । ''
ସୂଚନାନୁସାରେ,ଗତକାଲି ଚାନ୍ଦବାଲି ଅଂଚଳରୁ ଜଣେ ୧୦ ବର୍ଷୀୟ ତୃତୀୟ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅକୁ ଦିନ ୨ ଟା ବେଳେ ଅପହରଣ କରି ନିଆଯାଇଥିଲା । ଅନେକ ସମୟ ଧରି ନାବାଳିକା ଜଣକ ଘରକୁ ନଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଥିଲେ । ତେବେ ଛାତ୍ରୀଙ୍କ ମୃତଦେହ ସହର ଉପକଣ୍ଠ ବାଲିଗାଁ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ନିଛାଟିଆ ସ୍ଥାନରେ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ । ସଂପୃକ୍ତ ନାବାଳିକାଙ୍କୁ କେହି ଦୁର୍ବୃତ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ଏହି ଘଟଣାରେ କଡ଼ା ଆକ୍ସନ ନିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।




