ଏସ୍ଟିଏଫ୍ ପଞ୍ଝାରେ ୨ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ବେପାରୀ
ଭୁବନେଶ୍ୱର : ଏସ୍ଟିଏଫ୍ କୁ ବଡ଼ ସଫଳତା । ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ଏକ ବଡ଼ ଆନ୍ତଃରାଜ୍ୟ ଚୋରା ଗଞ୍ଜେଇ ଚାଲାଣ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଏସଟିଏଫ । ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଆନ୍ତଃରାଜ୍ୟ ଗଞ୍ଜେଇ ବେପାରୀ । ଏମାନଙ୍କ ନିକଟରୁ ୫୦ ଲକ୍ଷ ଟଙ୍କାର ଚୋରା ଗଞ୍ଜେଇ ଜବତ କରାଯାଇଛି । ତେବେ ଗିରଫ ସମୟରେ ଗ୍ୟାଙ୍ଗର କିଙ୍ଗପିନ ଫେରାର ହୋଇଯାଇଛି । କିଙ୍ଗପିନକୁ ଧରିବା ପାଇଁ ବାହାର ରାଜ୍ୟକୁ ଗଲା ଏସ୍ଟିଏଫ୍ ଟିମ୍ ।
ସୂଚନାନୁସାରେ, ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗଟି ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଗଞ୍ଜେଇ ଓଡ଼ିଶାରୁ ବାହାର ରାଜ୍ୟକୁ ଚୋରା ଚାଲାଣ କରିଥିବା ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ଏସଟିଏଫ ହାତରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଅଧିକ ତଥ୍ୟ ହାସଲ ପାଇଁ ଦୁଇ ଅଭିଯୁକ୍ତଙ୍କୁ ଚାଲିଛି ଜେରା । ଏହି ଗ୍ୟାଙ୍ଗରେ ଅନେକ ସଦସ୍ୟ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ନିକଟରୁ ଉଗାରିଛି ଏସ୍ଟିଏଫ୍ ଟିମ୍ । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗ ସହ ଆଉ କାହାର ସମ୍ପୃକ୍ତି ରହିଛି ଏବଂ ଏହାର ଚେର କେଉଁଯାଏ ଲମ୍ବିଛି ଏନେଇ ଅଧିକ ତଦନ୍ତ ଜାରି ରଖିଛି ଏସ୍ଟିଏଫ୍ ।



