ବାଲିଅନ୍ତା ଘଟଣାରେ ସୌମ୍ୟଙ୍କ ସର୍ଭିସ ରିପୋର୍ଟ ଦାଖଲ
ଭୁବନେଶ୍ୱର : ବର୍ବରୋଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟା ଘଟଣାରେ ପ୍ରଶାସନିକ ତଦନ୍ତ ପ୍ରକିୟା ଆରମ୍ଭ । ପୁଲିସ ମହାନିର୍ଦେଶକ (ଡିଜିପି)ଙ୍କୁ ସୌମ୍ୟଙ୍କ ସର୍ଭିସ ରିପୋର୍ଟ ଦାଖଲ କରିଛନ୍ତି ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜି ଅରୁଣ ବୋଥ୍ରା । କ୍ରାଇମ୍ବ୍ରାଞ୍ଚ ଡିଜି ଶ୍ରୀ ବୋଥ୍ରାଙ୍କୁ ସୌମ୍ୟଙ୍କ ରିପୋର୍ଟ ମାଗିଥିଲେ । ଏହି ରିପୋର୍ଟ ଦାଖଲ ପରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ପାଇଁ ଅଡୁଆ ବଢ଼ିବା ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଆଇପିଏସ୍ ଗଙ୍ଗୱାରଙ୍କ ନାଁରେ ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ । ସୌମ୍ୟଙ୍କୁ ଘରକୁ ଡାକି ଗଙ୍ଗୱାର ଜିମ୍ ଟ୍ରେନିଂ କାମ କରାଉଥିଲେ। ସୌମ୍ୟ ପ୍ରତିଦିନ ତାଙ୍କ ବଡି ମସାଜ କରୁଥିଲେ । ସେବା ନ କଲେ ଆଇପିଏସ୍ ତାଙ୍କୁ ମାନସିକ ନିର୍ଯାତନା ଦେଉଥିଲେ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ପରେ ସରକାର ଦୟାଲ ଗଙ୍ଗୱାରଙ୍କୁ ଓଏସଡି ହୋମ ଡିପାର୍ଟମେଣ୍ଟକୁ ବଦଳି କରିଥିଲେ ।
ଗତ ୨୬ରେ କ୍ରାଇମବ୍ରାଞ୍ଚ ଡିଜି ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ଚିଠି ଲେଖି ତଦନ୍ତ ରିପୋର୍ଟ ଦେବାକୁ କହିଥିଲେ। ଅଭିଯୋଗ ଆଧାରରେ ତଦନ୍ତ ରିପୋର୍ଟ ଦେବାକୁ କୁହାଯାଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ପାଇବା ପରେ ପରବର୍ତ୍ତୀ ତଦନ୍ତ ପ୍ରକ୍ରିୟା କ’ଣ ରହୁଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।



