ମା'କୁ ମାରି ରୋଷେଇ ଘରେ ପୋତି ପ୍ଳାଷ୍ଟର କରିଦେଲା ପୁଅ

ମା'କୁ ମାରି ରୋଷେଇ ଘରେ ପୋତି ପ୍ଳାଷ୍ଟର କରିଦେଲା ପୁଅ
Samaya Live News Picture
Published On

ପୁରୀ : ନୃଶଂସ ପୁଅ । ମା’କୁ ହତ୍ୟା କରି ରୋଷେଇ ଘର ଥାକରେ ପ୍ଲାଷ୍ଟର୍‌ କରିଦେଲା ପୁଅ । ଏ କୌଣସି ଚଳଚ୍ଚିତ୍ରର କାହାଣୀ ନୁହେଁ । ଏଭଳି ଲୋମ ଟାଙ୍କୁରା ଘଟଣା ଘଟିଛି ପୁରୀ ସହରର କୁମ୍ଭାରପଡ଼ା ଅଞ୍ଚଳରେ । ଗତ ୨ ମାସ ପୂର୍ବରୁ କୁମ୍ଭାରପଡ଼ା ଅଞ୍ଚଳରେ ଏକ ଘର ଭଡା ନେଇ ରହୁଥିଲେ ଗଞ୍ଜାମ ଗଜପତି ଅଞ୍ଚଳର ଅଭିଯୁକ୍ତ ପୁଅ ମଦନ ଦଳେଇ (୪୩) ଓ ତାଙ୍କ ମା' । ମଦନ ଶ୍ରୀମନ୍ଦିର ନିକଟରେ ପାଣି ବିକ୍ରି କରୁଥିବା ଘର ମାଲିକ ସୂଚନା ଦେଇଛନ୍ତି । ମା' ପୁଅଙ୍କ ମଧ୍ୟରେ କୌଣସି ପ୍ରକାର ମନୋମାଳିନ୍ୟ ନଥିଲା । ଘଟଣା ଘଟିବା ପରଠାରୁ ମଦନର କୌଣସି ପତ୍ତା ମିଳୁ ନାହିଁ । ତେବେ ଏହି ଘଟଣାରେ ଖାଲି ମଦନ ଦଳେଇ ନା ଆଉ କାହାର ସମ୍ପୃକ୍ତି ରହିଛି ଏନେଇ ତଦନ୍ତ ଜାରି ରଖିଛି ପୁରୀ ପୋଲିସ  । ମଦନକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ପୁରୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ମା’ ପ୍ଲାଷ୍ଟର୍‌ ହୋଇଥିବା ସ୍ଥାନକୁ ଭଙ୍ଗା ଚାଲିଛିି। ସେହିପରି, କୁମ୍ଭାରପଡ଼ା‌ ଥାନା ପୁଲିସ ଓ ଫରେନସିକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଘର ମାଲିକ ସେମାନଙ୍କ ଆଧାରକାର୍ଡ ରଖି ନଥିବାରୁ ସେମାନଙ୍କ ପରିଚୟ ଜଣାପଡ଼ିନାହିଁ।

ସୂଚନାନୁସାରେ, ୨ ମାସ ତଳେ ମା’-ପୁଅ କୁମ୍ଭାରପଡ଼ା ଥାନା ଆନ୍ତର୍ଗତ ମସଜିଦ୍‌ ନିକଟ ଗଳିରେ ଥିବା ରବିନାରାୟଣ ସାହୁଙ୍କ ଘରେ ଭଡ଼ାରେ ରହିଥିଲେ। ସେହି ଘରେ ଅନ୍ୟ ୮ଟି ପରିବାର ଭଡ଼ାରେ ଅଛନ୍ତି। ଶନିବାରଠାରୁ ମା’-ପୁଅଙ୍କ ଦେଖାଦର୍ଶନ ନ ମିଳବାରୁ ଏବଂ ରୋଷେଇଘରୁ ଦୁର୍ଗନ୍ଧ ବାହାରିବାରୁ ସାହିପଡ଼ିଶାଙ୍କ ସନ୍ଦେହ ହୋଇଥିଲା। ଏ ସଂପର୍କରେ ଘର ମାଲିକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ କୁମ୍ଭାରପଡ଼ା ଥାନାଧିକାରୀ ବିଜୟ କେତନ ବେହେରା ସେଠାରେ ପହଞ୍ଚି ପଚରାଉଚରା ଜାରି ରଖିଛନ୍ତି। ରୋଷେଇ ଘରେ ପ୍ଲାଷ୍ଟର୍‌ ହୋଇଥିବା ସ୍ଥାନକୁ ଖୋଳିବା ପରେ ଭିତରୁ ମା’ଙ୍କର ମୃତଦେହ ପୁଲିସ ଉଦ୍ଧାର କରିଛି। ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ପୁଲିସ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଛି। ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହଙ୍କ ସୂଚନା ଅନୁସାରେ ଏହି ଘଟଣା ୩ରୁ ୪ଦିନ ତଳୁ ଘଟିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନି। ସବୁଦିଗରୁ ପୁଲିସ ତଦନ୍ତ କରୁଛି। ଅଭିଯୁକ୍ତ ଗିରଫଦାରୀ ପରେ ହତ୍ୟାର କାରଣ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Tags: