ମା'କୁ ମାରି ରୋଷେଇ ଘରେ ପୋତିବା ଘଟଣାରେ ଅଭିଯୁକ୍ତ ପୁଅ ଗିରଫ

ମା'କୁ ମାରି ରୋଷେଇ ଘରେ ପୋତିବା ଘଟଣାରେ ଅଭିଯୁକ୍ତ ପୁଅ ଗିରଫ
Samaya Live News Picture
Published On

ପୁରୀ : ବହୁ ଚର୍ଚ୍ଚିତ ପୁରୀର କୁମ୍ଭାରପଡ଼ା ଅଞ୍ଚଳରେ ରୋଷେଇ ଘର ସ୍ଲାବ୍ ତଳୁ ଜଣେ ବୃଦ୍ଧାଙ୍କ ମୃତଦେହ ସିମେଣ୍ଟ ପ୍ଲାଷ୍ଟର ହେବା ଘଟଣା । ୫୭ ଦିନ ପରେ ଝାଡ଼ଖଣ୍ଡରୁ ଅଭିଯୁକ୍ତ ପୁଅ ମଦନ ଦଳେଇ ଗିରଫ । ନିଜ ଜନ୍ମକଲା ପୁଅ ହିଁ ମା’କୁ ହତ୍ୟା କରି ଶବ ଲୁଚାଇବା ପାଇଁ ଏଭଳି କାଣ୍ଡ ଭିଆଇ ଫେରାର୍ ହେବା ପରେ ଆଜି ପୋଲିସ ଗିରଫ କରିଛି । ମା’କୁ ନିଜେ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଝାଡ଼ଖଣ୍ଡ ଟାଟା ନଗରରେ ଏକ ଦୋକାନରେ ଅଭିଯୁକ୍ତ ମଦନ ଦଳେଇ କାମ କରୁଥିଲେ । 

ବୃଦ୍ଧାଙ୍କ ନାମ ଅନ୍ନପୂର୍ଣ୍ଣା ଦଳାଇ, ବୟସ ୬୫ ବର୍ଷ । ସେ ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାରଡ଼ା ଗ୍ରାମର ବାସିନ୍ଦା ଥିଲେ । ମୃତକଙ୍କ ପୁଅ ମଦନ ଦଳେଇ ଘଟଣା ପରଠୁ ଫେରାର ଥିଲା । ପୋଲିସ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରୋଷେଇ ଘରର ନୂଆକରି ତିଆରି ହୋଇଥିବା ସିମେଣ୍ଟ ସ୍ଲାବ୍ କୁ ଭାଙ୍ଗି ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ପଚିଶଢି ଯାଇଥିବା ମୃତଦେହ ଉଦ୍ଧାର କରିଥିଲା । ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରି ପୋଲିସ ଘଟଣାର ୬ ଦିନ ପରେ ବୃଦ୍ଧାଙ୍କ ପରିଚୟ ସ୍ପଷ୍ଟ କରିଥିଲା । ଏହାପରେ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Tags: