ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା
ଡୁଙ୍ଗୁରିପାଲି : ଅଜଣା ଦୁର୍ବୁତ୍ତଙ୍କ ଗୁଳି ମାଡ଼ରେ ସମିତି ସଭ୍ୟଙ୍କ ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆଗଲପୁର ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣକ ହେଉଛନ୍ତି ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଡୁଡୁକା ଗ୍ରାମର ଅଚ୍ୟୁତ ନାୟକ (୪୦) । ଚିନାଜୁରୀ କେନାଲ ନିକଟରେ ଟଙ୍କା କାର ଭିତରୁ ଅଚ୍ୟୁତ ନାୟକଙ୍କ ଗୁଳିବିଦ୍ଧ ମୃତ ଶରୀର ଉଦ୍ଧାର କରାଯାଇଛି । ତାଙ୍କ ଡାହାଣ ପଟ ବେକରେ ଗୁଳି ବାଜିଥିବା ଦେଖା ଯାଇଛି ।
ସୂଚନାନୁସାରେ, ଗତକାଲି ରାତିରେ କେହି ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଏବଂ ଥାନା ଅଧୀନରେ ଥିବା ଚିନାଜୁରୀ (ସିନାଜୋରୀ କେଉଟ) କେନାଲ ରାସ୍ତାକୁ ଡାକିଥିଲେ। ଖବର ପାଇ ସେ ନିଜ କାର୍ ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେଠାରେ ପହଞ୍ଚିବା ମାତ୍ରେ ପୂର୍ବରୁ ପ୍ରସ୍ତୁତ ଥିବା ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ ।
କାର ଭିତରେ ତାଙ୍କର ମୃତଦେହେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ଡୁଙ୍ଗୁରିପାଲି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଜାରି ରଖିଥିବା ବେଳେ ବଲାଙ୍ଗୀର ସାଇଣ୍ଟିଫିକ୍ ଟିମ୍ ସହ ଅନୁସନ୍ଧକ୍ଷନୀ କୁକୁର ଆସି ସମସ୍ତ ନମୁନା ସଂଗ୍ରହ କରି ନେଇଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗାଡ଼ି ଭିତରୁ ଗୋଟିଏ ଖାଲି କାର୍ଟ୍ରିଜ୍ (ଗୁଳିର ଖୋକା) ମଧ୍ୟ ଜବତ କରାଯାଇଛି।
ଅଚ୍ୟୁତଙ୍କ ପିତାଙ୍କ ଅଭିଯୋଗ ଅନୁଯାୟୀ, ପାରିବାରିକ ଶତ୍ରୁତାକୁ ନେଇ ଏଭଳି ଜଘନ୍ୟ ହତ୍ୟା କରାଯାଇଛି । ଅଚ୍ୟୁତଙ୍କ ପିତା ଡୁଙ୍ଗୁରିପାଲି ଶନି ମନ୍ଦିରର ପୂଜକ ଏବଂ ସେ ମଧ୍ୟ ମନ୍ଦିରରେ ପୂଜା କାର୍ଯ୍ୟ କରୁଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ବହୁତ ଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି କହିଛି ।




