ବଙ୍ଗୀୟ ମିସ୍ତ୍ରୀଙ୍କୁ ହତ୍ୟା ଘଟଣାରେ ୬ ଗିରଫ
ସମ୍ବଲପୁର: ବଙ୍ଗୀୟ ମିସ୍ତ୍ରୀଙ୍କୁ ପିଟିପିଟି ହତ୍ୟା ଘଟଣା । ୬ ଜଣଙ୍କୁ ଗିରଫ କଲା ଅଇଁଠାପାଲି ଥାନା ପୋଲିସ । ବିଡ଼ି ଟଣାକୁ କେନ୍ଦ୍ର କରି ଅଇଁଠାପାଲି ଦାନୀପାଲିଠାରେ ବଙ୍ଗାଳୀ ମିସ୍ତ୍ରୀଙ୍କ ହତ୍ୟା କରିଥିଲେ ତାଙ୍କ ସହଯୋଗୀ । ବୁଧବାର ରାତି ପ୍ରାୟ ୮ଟାରେ ଘଟିଥିଲା ଏହି ଅଭାବନୀୟ ଘଟଣା । ମୃତକ ହେଲେ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଅଞ୍ଚଳର ଜୁଏଲ୍ ଶେଖ । ଆକ୍ରମଣରେ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଅକୁର ରେହମାନ (୨୪) ଓ ସୋନୱର ହୁସେନ୍ (୨୨) ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ ଦାନିପାଲି ଅଞ୍ଚଳରେ ଏକ ନିର୍ମାଣାଧୀନ କୋଠାଘରେ କିଛି ବଙ୍ଗାଳୀ ଶ୍ରମିକ କାମ କରୁଥିଲେ। ବୁଧବାର ବିଳମ୍ବିତ ରାତିରେ ଉକ୍ତ ଶ୍ରମିକଙ୍କ ମଧ୍ୟରୁ ୩ ଜଣ ନିକଟସ୍ଥ ଏକ ସ୍ଥାନକୁ ପାନ ମସଲା ଓ ବିଡି ପାଇଁ ଯାଇଥିଲେ। ସେହି ସମୟରେ ପ୍ରାୟ ୪ ଜଣ ଯୁବକ ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ବିଡି ମାଗିଥିଲେ । ବିଡି ଦେବାକୁ ମନା କରିବାରୁ ଅଭିଯୁକ୍ତମାନେ ଆଧାରକାର୍ଡ ଦେଖାଇବାକୁ କହିଥିଲେ । ଏହାକୁ ନେଇ ଯୁକ୍ତିତର୍କରୁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଦୁର୍ବୃତ୍ତମାନେ ସଂଘବଦ୍ଧ ଭାବେ ବାଉଁଶ ଓ କାଠ ଫାଳିଆରେ ଶ୍ରମିକଙ୍କୁ ଆକ୍ରମଣ କରିଥିଲେ । ଏଥିରେ ଜୁଏଲ୍ଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଚିକିତ୍ସାଧୀନ ଆହତ ମାନେ କହିଛନ୍ତି, ସେମାନେ ୬ ବର୍ଷ ହେଲା ପଶ୍ଚିମବଙ୍ଗରୁ ଆସି ସମ୍ବଲପୁରରେ ମିସ୍ତ୍ରି ଭାବରେ କାମ କରୁଛନ୍ତି । ଏପର୍ଯ୍ୟନ୍ତ କୌଣସି ଅଘଟଣ ଘଟି ନଥିଲା ତେବେ ଗତ ରାତିରେ ସେମାନେ ଭାଲୁପାଲିରୁ କାମ ସାରି ଶାନ୍ତିନଗର ରାସ୍ତାରେ ଯାଉଥିବାବେଳେ ୫ ଜଣ ଯୁବକ ଅଟକାଇ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ଆକ୍ରମଣ କରିଥିଲେ । ଅନ୍ୟପଟେ ଘଟଣାକୁ ନେଇ ଅଇଁଠାପାଲି ଥାନାରେ ବହୁ ବରିଷ୍ଠ ପୁଲିସ୍ ଅଧିକାରୀ ଏକାଠି ହୋଇଛନ୍ତି । ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୩ ଜଣଙ୍କୁ ଅଟକ ରଖାଯାଇଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍ ଉଦ୍ୟମ କରୁଛି । ଗୁରୁବାର ଶବ ବ୍ୟବଚ୍ଛେଦ କରାଯିବ। ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବେ ବୋଲି ଏସ୍ଡିପିଓ କହିଛନ୍ତି ।ସଦର ଏଡିପିଓ ତୁଫାନ ବାଗ କହିଛନ୍ତି। ପୁଲିସ୍ ଆଜି ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ।




