ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା,ଆଉଜଣେ ଗିରଫ
ବ୍ରହ୍ମପୁର: ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା । ବ୍ରହ୍ମପୁରରୁ ଆଉ ଜଣେ ଦଲାଲଙ୍କୁ ଗିରଫ କଲା ସିବିଆଇ I ଦଲାଲ ଜଣକ ହେଲେ ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ଶାନ୍ତି ନଗର ଇପିଲି.ସୀତାରାମ । ସୀତାରାମ୍ ଆଶାୟୀ ପରୀକ୍ଷାର୍ଥୀ ଯୋଗାଡ କରିବା ସହ ଆନ୍ଧ୍ର ନେଇ ଯାଉଥିବା ବସକୁ ସହଯୋଗ କରିଥିଲା । ସିବିଆଇ ତଦନ୍ତ ପରେ ସୀତାରାମ ସମ୍ପୃକ୍ତି ବିଷୟରେ ଜଣାପଡିଥିଲା । ପରେ ସିବିଆଇ ପକ୍ଷରୁ ତାଙ୍କୁ ବାରମ୍ବାର ସମନ ପରେ ମଧ୍ୟ ସେ ନପହଞ୍ଚିବାରୁ ସୀତାରାମକୁ ଉଠାଇ ନେଇ ସିବିଆଇ ଜେରା କରୁଥିବା ଜଣାପଡିଛି । ଏକାଧିକ ଜେରା ପରେ ଆଜି ତାଙ୍କୁ ଗିରଫ କରାଯାଇଛି । ପ୍ରଶ୍ନପତ୍ର ଲିକ ମାମଲାର ମାଷ୍ଟର ମାଇଣ୍ଡ ତଥା ପଞ୍ଚସଫ୍ଟ ଟେକନଲୋଜିର ମାଲିକ ଶଙ୍କର ପୃଷ୍ଟିର ସେ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି ।
ଗଞ୍ଜାମ ଜିଲ୍ଲା ବ୍ରାହ୍ମଣଛାଇ ଗାଁର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶ ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ବରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ବଜିତ ହରିଚନ୍ଦନ ଓ ତଫିମ ଅହମଦ ଖାନଙ୍କ ସମେତ ୧୨ରୁ ଉର୍ଦ୍ଧ ଅଭିଯୁକ୍ତକୁ ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିଥିବା ବେଳେ ପ୍ରୟାୟକ୍ରମେ ଜଣଙ୍କ ପରେ ଜଣଙ୍କୁ ଗିରଫ କରୁଥିବା ଜଣାପଡିଛି । ଏହି ମାମଲାରେ ୧୧୨ଜଣରୁ ଉର୍ଦ୍ଧ୍ବ ଆଶୟୀଙ୍କୁ ପୋଲିସ ଗିରଫ କରିଥିଲା । ଆଶାୟୀଙ୍କୁ ବି ସିବିଆଇ ଜେରା କରି ବହୁ ତଥ୍ୟ ହାସଲ କରିଥିଲା ।



