ଜମୁଇ ଲଜ୍ଜା , ପୋଲିସ ଗୁଳିରେ ଅଭିଯୁକ୍ତ ଗୁରୁତର
ବିହାର : ବିହାରର ଜମୁଇ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଲଜ୍ଜା ଜନକ ଘଟଣା । ଜନଗହଳିପୂର୍ଣ୍ଣ ରାସ୍ତାରେ ୧୦ମ ରେ ପଢ଼ୁଥିବା ପୁଅ ଝିଅଙ୍କୁ ଅଟକାଇ ଅତି ଅମାନବୀୟ ଅସଦାଚରଣ କରିଥିଲେ କିଛି ଅଭିଯୁକ୍ତ । ଏହାପରେ ସେହି ସମୟ ର ଭିଡିଓକୁ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ କରିଥିଲେ । ଭିଡିଓ ଫୁଟେଜ ଆଧାରରେ ଆକ୍ସନ ମୁଡ଼ କୁ ଆସି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବିହାର ପୋଲିସ । ଘଟଣାରେ ୨ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ପୋକ୍ସୋ ଆଇନ୍ ଆଧାରରେ ମାମଲା ରୁଜୁ କରାଯାଇ ଥିବାବେଳେ ଅନ୍ୟ ୪ଜଣ ବର୍ତମାନ ସୁଦ୍ଧା ଫେରାର ଅଛନ୍ତି ।
ଅଭିଯୁକ୍ତମାନେ ହେଲେ ମିଥିଳେଶ କୁମାର, ପ୍ରମୋଦ କୁମାର ଓ ଗୋଲୁ କୁମାର । ତିନିଜଣ ଯାକ ଜମୁଇ ଜିଲ୍ଲାର ମରୱା ଗାଁର ବାସିନ୍ଦା । ସେମାନଙ୍କ ବୟସ ପ୍ରାୟ ୨୫ରୁ ୨୬ ବର୍ଷ ମଧ୍ୟରେ ବୋଲି ପୋଲିସ କହିଛି । ଏମାନଙ୍କ ମଧ୍ୟରୁ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ନନ୍ଦନ ଯାଦବ ପୋଲିସ ହାତରୁ ଖସି ଯିବାକୁ ଚେଷ୍ଟା କରୁଥିବାବେଳେ ପୋଲିସ ଏନକାଉଣ୍ଟର କରିଛି । ତା ଗୋଡ଼ରେ ଗୁଳି ବାଜିଛି । ମୁଖ୍ୟ ଅଭିଯୁକ୍ତ ନନ୍ଦନର ମୁଖ୍ୟ ସହଯୋଗୀ କୁହାଯାଉଥିବା ହରିରାମ ଯାଦବଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଅଭିଯୁକ୍ତମାନଙ୍କ ବିରୋଧରେ ଜମୁଇ ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ଧାରା 74 (ଜଣେ ମହିଳାଙ୍କ ସମ୍ମାନ କିମ୍ବା ମର୍ଯ୍ୟାଦାହାନି କରିବା ଉଦ୍ଦେଶ୍ୟରେ ତାଙ୍କ ଉପରେ ଆକ୍ରମଣ କରିବା କିମ୍ବା ଅପରାଧିକ ବଳ ପ୍ରୟୋଗ କରିବା), 76/3(5) (ଏକାଧିକ ବ୍ୟକ୍ତି ମିଳିତ ଭାବରେ ଜଣେ ମହିଳାଙ୍କ ଉପରେ ଆକ୍ରମଣ, କିମ୍ବା ତାଙ୍କୁ ବସ୍ତ୍ରହୀନ କରିବା କିମ୍ବା ନଗ୍ନ ହେବାକୁ ବାଧ୍ୟ କରିବା ଉଦ୍ଦେଶ୍ୟରେ ତାଙ୍କ ବିରୁଦ୍ଧରେ ଅପରାଧିକ ବଳ ପ୍ରୟୋଗ କରିବା) ଏବଂ POCSO ଆଇନ, 2012 ଅନୁଯାୟୀ ଏକ FIR (ନଂ. 428/26) ମଧ୍ୟ ରୁଜୁ କରାଯାଇଛି ।
ବର୍ତ୍ତମାନ ଏସଡିପିଓ ଦୀପ୍ତି ମୋନାଲିଙ୍କ ନେତୃତ୍ୱରେ ସ୍ୱତନ୍ତ୍ର SIT ଗଠନ କରାଯାଇ ଛାନଭିନ୍ ଜାରି ରହିଛି । ଘଟଣାକୁ ତିନି ଦିନ ହୋଇସାରିଥିଲେ ବି ସମସ୍ତ ଅଭିଯୁକ୍ତମାନଙ୍କୁ ଧରିବା ବର୍ତ୍ତମାନ ଏକ ବଡ଼ ଚାଲେଞ୍ଜ ପାଲଟିଛି ।
ଘଟନାନୁସାରେ, ସେପ୍ଟେମ୍ବର ୧୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ସ୍ଥାନୀୟ ଏକ କୋଚିଂ ସେଣ୍ଟରରୁ ଦୁଇ ଜଣ ୧୦ମ ଶ୍ରେଣୀ ପୁଅ ଝିଅ ସ୍କୁଟି ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ସେମାନେ ରାସ୍ତା ପାଖରେ ଗାଡି ରଖି ଫୋଟୋ ଉଠାଉଥିବାବେଳେ ଦୁର୍ବୁତ୍ତଙ୍କ ହାବୁଡ଼ରେ ପଡି ଯାଇଥିଲେ । ଅଭିଯୁକ୍ତମାନେ ଛାତ୍ରୀଙ୍କୁ ଟେକି ନେଇ ଅସଦାଚରଣ କରିବା ସହିତ ମାଡ଼ ମାରି ତାଙ୍କ କପଡା ମଧ୍ୟ ଫାଡ଼ି ଦେଇଥିଲେ । ତେବେ କଥା କେବଳ ଏତିକିରେ ସରି ନଥିଲା , ଏହି ଅମାନବୀୟ ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଥିଲେ । ତେବେ ଧରାପଡ଼ିବା ଭୟରେ ମୁଖ୍ୟ ଅଭିଯୁକ୍ତ ଜଣକ ଗାମୁଛାରେ ନିଜ ମୁହଁ ଘୋଡାଇ ଥିବା ଦେଖାଯାଇଥିଲା । ଘଟଣା ପରେ ଭିଡିଓ ଭାଇରାଲ କରିଥିବା ବିଭିନ୍ନ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଚିହ୍ନଟ କରାଯାଇଛି । ପୋଲିସର ତଥ୍ୟ ଅନୁଯାୟୀ, ୧୩ଟି ଫେସବୁକ୍, ୧୨ଟି ଇନଷ୍ଟାଗ୍ରାମ ଏବଂ ୭ଟି ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହା ପ୍ରସାରିତ ହୋଇଥିଲା, ଯେଉଁମାନଙ୍କ ବିରୁଦ୍ଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିହାର ରାଜ୍ୟ ମହିଳା ଆୟୋଗ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଛି। ଦୋଷୀଙ୍କ ବିରୋଧରେ କୌଣସି ପ୍ରକାର ସାଲିସ ନକରି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଇତିମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଅଛନ୍ତି । ଅପରପକ୍ଷରେ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି ।




