ଆର.ଜି.କର ମେଡିକାଲ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା, ୩ ଆଇପିଏସ ନିଲମ୍ବିତ
ପଶ୍ଚିମବଙ୍ଗ : ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ବଳାତ୍କାର ଏବଂ ହତ୍ୟା ମାମଲାର ତଦନ୍ତ ପୁନର୍ବାର ଆରମ୍ଭ କରିଥିବା ପଶ୍ଚିମବଙ୍ଗ ସରକାର ଶୁକ୍ରବାର ଦିନ କର୍ତ୍ତବ୍ୟରେ ଅବହେଳା ପାଇଁ ତିନି ଜଣ ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି।
ତତ୍କାଳୀନ କୋଲକାତା ପୋଲିସ କମିଶନର ବିନୀତ ଗୋୟଲ, ତତ୍କାଳୀନ ଡେପୁଟି କମିଶନର ଅଫ୍ ପୋଲିସ (ଉତ୍ତର) ଅଭିଷେକ ଗୁପ୍ତା ଏବଂ ଡେପୁଟି କମିଶନର ଅଫ୍ ପୋଲିସ (ମଧ୍ୟ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ଆରମ୍ଭରୁ ହିଁ, ଏହି ଘଟଣାରେ କୋଲକାତା ପୋଲିସର ଭୂମିକା ସନ୍ଦେହରେ ଥିଲା । ବିଶେଷକରି, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଗୋୟଲ; ଗୁପ୍ତା ଏବଂ ମୁଖାର୍ଜୀଙ୍କ ବିରୁଦ୍ଧରେ ହୋଇଥିଲା।
ଏହି ଅଧିକାରୀମାନେ ଘଟଣାକୁ ତ୍ରୁଟିପୂର୍ଣ୍ଣ ପରିଚାଳନା କରିଥିଲେ; ଯେପରିକି ମୃତ ଛାତ୍ରୀଙ୍କ ପିତାମାତାଙ୍କୁ ଲାଞ୍ଚ ଆକାରରେ ଟଙ୍କା ଯାଚିବା ଓ ଅନଧିକୃତ ଭାବେ ସାମ୍ବାଦିକ ସମ୍ମିଳନୀ କରିବା। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏହି ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ସେମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ତତ୍ତ୍ବାବଧାନରେ ରାଜ୍ୟ ଗୃହ ବିଭାଗ ସଚିବ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବେ। ୨୦୨୪ ଅଗଷ୍ଟରେ ଆରଜି କର ମେଡିକାଲ କଲେଜର ଜନୈକ ଛାତ୍ରୀଙ୍କୁ କଲେଜ ପରିସରରେ ବଳାତ୍କାର ଓ ହତ୍ୟା କରାଯାଇଥିଲା।



