ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ ମାମଲା
ଭୁବନେଶ୍ୱର : ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲା। ରାଜଧାନୀ ଉପକଣ୍ଠ ଧଉଳି ଥାନା ଦୟାନଦୀ କୂଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି କମିଶନରେଟ୍ ପୋଲିସ। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଘଟଣାରେ ତଦନ୍ତ କରାଯିବ। ଗତ ୧୦ ତାରିଖ ଦିନ ସନ୍ଧ୍ୟାରେ ଘଟିଥିଲା ଏହି ଘଟଣା । +୨ ରେ ପଢ଼ୁଥିବା ନାବାଳିକା ଜଣକ ପୁରୁଷ ବନ୍ଧୁଙ୍କ ସହିତ ଧଉଳି ବୁଲି ଫେରୁଥିବାବେଳେ ଅଘଟଣର ଶିକାର ହୋଇଥିଲେ I ଏହି ଘଟଣାରେ ୨ ଜଣ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଫେରାର ରହିଛି ।
ଘଟଣାଟି ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ ହେବା ପରେ ଏହାକୁ ଅତି ଗୁରୁତର ନେଇଥାଏ ପୋଲିସ। ଜଣେ ଏସପି କିମ୍ବା ଅତିରିକ୍ତ ଏସପି ପାହ୍ୟାର ଅଫିସରଙ୍କ ଦ୍ବାରା ତଦନ୍ତ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ମନିଟରିଂ କରାଯାଏ। ଧଉଳି ମାମଲାରେ କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ମାମଲାର ତଦନ୍ତ କରାଯିବ। ମାମଲାରେ ଚାର୍ଜସିଟ୍ ହେବା ଏବଂ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ଯାଏଁ ତଦନ୍ତକାରୀ ଅଧିକାରୀ ମାମଲା ସହ ସଂପୃକ୍ତ ରହିବେ। ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ।
ସେପଟେ,ଏହି ସମ୍ବେଦନଶୀଳ ଘଟଣାରେ ଉଦବେଗ ପ୍ରକାଶ କରି ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି । ମହିଳା କମିଶନ ସଦସ୍ୟା ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଏକ ୨ ଜଣିଆ ଟିମ୍ ନଦୀ ପଠାକୁ ଯାଇ ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ଡିସିପି ଓ ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ)ଙ୍କୁ ଗଣବଳାତ୍କାର ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି ଅଧ୍ୟକ୍ଷା ବବିତା ପାତ୍ର ।




