ଜେଲ ଗଲେ ପ୍ରକାଶ ପାଶୱାନ
ରାଉରକେଲା: ବହୁ ଚର୍ଚ୍ଚିତ ରାଉରକେଲା ପାନପୋଷ ସର୍କିଟ ହାଉସ୍ରୁ ବନ୍ଧୁକ ଜବତ ଘଟଣା । ଜେଲ ଗଲେ ଘଟଣାର ମାଷ୍ଟର ମାଇଣ୍ଡ ତଥା ପୂର୍ବତନ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ । ପ୍ରକାଶଙ୍କୁ ବୁଧବାର ବିହାରର ସମସ୍ତିପୁରରୁ ଧରିଥିଲା ରାଉରକେଲା ପୋଲିସ । ଗୁରୁବାର ରାଉରକେଲା ସରକାରୀ ଡାକ୍ତରଖାନାରେ ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ହେଲେ କୋର୍ଟ ଜାମିନ ନାମଞ୍ଜୁର ହେବାରୁ ପ୍ରକାଶ ପାଶୱାନଙ୍କୁ ଜେଲ ପଠାଇ ଦିଆଯାଇଛି । ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବାବେେଳ ପୁଲିସ ରିମାଣ୍ଡରେ ଆଣି ଜେରା କରିବ ବୋଲି ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ପ୍ରଥମେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ପରେ ଘଟଣାରେ ସଂପୃକ୍ତ ଥିବା ଦୁଇ ଅଭିଯୁ୍କ୍ତ ମୋଟ ୯ଜଣଙ୍କୁ ଗିରଫ କରି ଜେଲ ପଠାଇଦେଇଛି ।
ସୂଚନାନୁସାରେ,ଗତ ୧୪ ତାରିଖ ବିଳମ୍ବିତ ରାତିରେ ରାଉରକେଲା ସର୍କିଟ ହାଉସର ରୁମ ନମ୍ବର ୧୦୭ ଉପରେ ଚଢ଼ାଉ କରିଥିଲା ରାଉରକେଲା ରଘୁନାଥପାଲ୍ଲୀ ପୋଲିସ । ଏହି ଚଢ଼ାଉ ବେଳେ ସେଠାରୁ ୪ ପିସ୍ତଲ ୧୧ଟି ଜୀବନ୍ତ ଗୁଳି ସହ ତିନି ମାଗାଜିନ ଜବତ କରିଥିଲା । ରାଉରକେଲା ପୋଲିସ ତନାଘନା କରି ପ୍ରଥମେ ମାମଲାରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରିଥିଲା । ଏହା ଜଣାପଡିବା ପରେ ଅଗଷ୍ଟ ୧୯ ତାରିଖରେ ପ୍ରକାଶ ପାଶ୍ବାନ ଫେରାର ହୋଇଯାଇଥିଲା । ପ୍ରକାଶ ପାଶୱାନ ବ୍ୟବହାର କରୁଥିବା କାରକୁ ପୋଲିସ ପୂର୍ବରୁ ଜବତ କରିଥିବା ବେଳେ ପ୍ରକାଶ ପାଶୱାନଙ୍କ ଭଉଣୀଙ୍କୁ ଥାନାକୁ ଡ଼ାକି ଜେରା କରିଥିଲା । ଏହା ସହ ପ୍ରକାଶ ପାଶୱାନଙ୍କୁ ଗିରଫ କରିବା ପାଇଁ ରାଉରକେଲା ପୋଲିସ ଗଠନ କରିଥିଲା ୬ଗୋଟି ଟିମ୍ । ବିଭିନ୍ନ ଟିମ ବିଭିନ୍ନ ରାଜ୍ୟ ଯାଇ ପ୍ରକାଶ ପାଶୱାନଙ୍କୁ ଗିରଫ ପାଇଁ ପ୍ରସ୍ତୁତ କରିଥିଲା ରୂପରେଖ । ଏମିତିକି ପ୍ରକାଶଙ୍କୁ ଗିରଫ କରିବା ପାଇଁ ଗତ ୨୫ ତାରିଖରେ ଜାରି ହୋଇଥିଲା ନନ ବେଲେବୁଲ ୱାରେଂଟ ।
ଏହାରି ଭିତରେ ଗତ ୨୫ ତାରିଖ ସଂଧ୍ୟାରେ ପ୍ରକାଶ ପାଶୱାନ ଆଗୁଆ ଜାମିନ ପାଇଁ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଆବେଦନ କରିଥିଲେ । ଆବେଦନର ଶୁଣାଣି ହେବା ପୂର୍ବରୁ ବୁଧବାର ବିହାର ସମସ୍ତିପୁରରୁ ପ୍ରକାଶଙ୍କୁ ଗିରଫ କରିଛି ପୋଲିସ । ଅନ୍ୟପକ୍ଷରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବାରୁ ପୁଲିସ ପ୍ରକାଶ ବିରୋଧରେ ଥିବା ୨୦ରୁ ଅଧିକ ମାମଲାର କେଶ ଡାଏରୀ ଦାଖଲ କରିଛି ।
ପ୍ରକାଶ ବିଜେପି ତଥା ସୁନ୍ଦରଗଡ଼ ସାଂସଦ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ମହାନଗର ନିଗମ ପ୍ରତିନିଧି ଥିବାରୁ ଦଳରେ ରାଉରକେଲାରୁ ରାଜଧାନୀ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ହୋଇଛି ।




