ଭିଜିଲାନ୍ସ ଜାଲରେ ପୋଲିସ ବାବୁ
ସୁନ୍ଦରଗଡ଼ : ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ପୋଲିସ ବାବୁ । ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଏଏସଆଇ ଅରୂପା ନନ୍ଦ ଦାସ । ମଦ ଲାଇସେନ୍ସ କରାଇଦେବା ପାଇଁ ସେ ଜଣେ ଢ଼ାବା ମାଲିକଙ୍କ ଠାରୁ ଲାଞ୍ଚ ନେଉଥିଲେ ।
ସୂଚନା ମୁତାବିକ, ବଡ଼ଗାଁ ପୋଲିସ ଥାନା ଏଏସ୍ଆଇ ଅରୂପା ନନ୍ଦ ଦାସ ରାସ୍ତା ପାର୍ଶ୍ୱରେ ଥିବା ଜଣେ ଢାବାମାଲିକଙ୍କୁ ତାଙ୍କ ନାଁରେ ପୂର୍ବରୁ ଥିବା ଏକ ମାମଲାରେ ସାହାଯ୍ୟ କରିବା ଏବଂ ମଦ ଲାଇସେନ୍ସ କରାଇଦେବା ପାଇଁ ଅର୍ଥ ଦାବି କରିଥିଲେ । ଏନେଇ ୨୫ ହଜାର ଟଙ୍କାରେ କଥା ଛିଣ୍ଡି ଥିଲା । ତେବେ ପୋଲିସ ଲାଞ୍ଚ ମାଗିଥିବା ନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଢ଼ାବା ମାଲିକ । ପୂର୍ବ ଯୋଜନା ମୁତାବକ ଗୁରୁବାର ସନ୍ଧ୍ୟାରେ ଏଏସ୍ଆଇ ଦାସ ବଡ ଗାଁ ଥାନା ନିକଟରେ ଥିବା ଏକ ଚା' ଦୋକାନ ନିକଟରେ ଲାଞ୍ଚ ନେଉଥିବା ବେଳେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରାଯାଇଛି ।
ଏହାପରେ ପୋଲିସ ଏଏସଆଇଙ୍କ ଚାରୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏଏସ୍ଆଇଙ୍କ କାର୍ଯ୍ୟରତ ବଡଗାଁ ଥାନା,ସରକାରୀ କ୍ବାଟର ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରି ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା, ୫ ହଜାର ଆମେରିକୀୟ ଡଲାର ସହ ୧୫ଟି ଦେଶୀ ମଦ ବୋତଲ ଜବତ କରିଥିବା ସୂଚନା ମିଳିଛି ।



