ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ କ୍ରାଇମ ସିନ ରିକ୍ରିଏସନ କଲା ପୋଲିସ
ଗଞ୍ଜାମ: ବହୁଚର୍ଚ୍ଚିତ ଗଞ୍ଜାମ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲା । କ୍ରାଇମ୍ ସିନ୍ ରିକ୍ରିଏଟ୍ କରିଛି ପୋଲିସ । ତିନି ପର୍ଯ୍ୟାୟରେ ସିନ ରିକ୍ରିଏସନ ଓ ଜେରାରେ ପୋଲିସକୁ ହାତରେ ଅନେକ ତଥ୍ୟ ଲାଗିଛି । ରବିବାର ପୂର୍ବାହ୍ନରେ ୩ଟି ପର୍ଯ୍ୟାୟରେ କ୍ରାଇମ ସିନ୍ ରିକ୍ରିଏସନ୍ କରାଯାଇଥିଲା ରିମାଣ୍ଡରେ ଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କାଳୁ ଚରଣ ପ୍ରଧାନଙ୍କୁ ହତ୍ୟାକାଣ୍ଡ ସ୍ଥଳକୁ ନେଇ କେତେବେଳେ ଏବଂ କେମିତି ସୁଧୀରଙ୍କୁ ହତ୍ୟା କରାଯାଇଥିଲା ତାହାର ତଥ୍ୟ ଓଗାଳିଛି ପୋଲିସ ।
ଅଭିଯୁକ୍ତର କହିବା ଅନୁଯାୟୀ ଭଲିବଲ୍ ପଡ଼ିଆ ନିକଟରେ ସେ ସୁଧିରଙ୍କୁ ଜଗି ରହିଥିଲା। ଯେତେବେଳ ସୁଧୀର ଫେରିବା ପାଇଁ ବାଇକ୍ ବାହାର କଲେ, କାଳୁ ସେଠାରୁ କିଛି ଦୂରକୁ ଆସି କାରରେ ବସିବା ସହ ସୁଧୀରଙ୍କୁ ପିଛା କରିଥିଲା। ଯାହା ସି ସି ଟିଭି ଫୁଟେଜ ରୁ ସ୍ପଷ୍ଟ ବାରି ହୋଇ ପଡୁଛି। ସ୍ପୋର୍ଟସ ଡ୍ରେସ ପିନ୍ଧି ସୁଧୀର ବାଇକ ଧରି ଘରକୁ ଫେରୁଥିବା ବେଳେ ହଠାତ୍ ଏକ ବୋଲେରୋ ତାଙ୍କୁ ପିଛା କରିଥିଲା । ପୋଲିସ ଏହି ଘଟଣାରେ ଏକ ବୋଲେରୋକୁ ଜବତ କରିଥିବା ବେଳେ ତାହା ଏହି ବୋଲେରୋ ବୋଲି ଚର୍ଚ୍ଚା ହେଉଛି।
ମର୍ଡର ପ୍ଲାନ କରିବା ପୂର୍ବରୁ ଭାବିନାରାୟଣପୁର ରାସ୍ତାରେ ସାଢ଼େ ଚାରିଟା ସମୟରୁ କାଳୁ ପ୍ରଧାନ ରେକି କରିଥିଲା । ଭଲି ବଲ୍ ପଡ଼ିଆରେ ସୁଧୀର ପହଁଚିଥିଲେ ମଧ୍ୟ ସେଦିନ ଖେଳି ନଥିଲେ । ସୁଧୀର ପଡ଼ିଆରୁ ବାଇକ୍ ଧରି ବାହାରିବା ପରେ ପୂର୍ବରୁ କାଳୁଚରଣ ନିର୍ଦ୍ଦେଶାନୁସାରେ ରାସ୍ତାରେ ଜଗି ରହିଥିବା ଅନ୍ୟ ସହଯୋଗୀମାନେ ସୁଧୀରଙ୍କୁ ବାଟରେ ଅଟକାଇଥିଲେ । ଏହା ପରେ ତାଙ୍କୁ ଅପହରଣ କରିନେଇଥିଲେ । ଏହାପରେ ଅଭିଯୁକ୍ତ ମାନେ ବ୍ୟବହାର କରିଥିବା ବନ୍ଧୁକକୁ ବୁଗୁଡ଼ାର ବାଘୁଆ ଡ୍ୟାମକୁ ଫିଙ୍ଗି ଦେଇଥିବା ନେଇ ସ୍କ୍ରିନ୍ ରିକ୍ରିଏସନରେ ଦେଖାଇ ଥିଲେ । ଯାହାକୁ ନେଇ ଅଗ୍ନିଶମ ବିଭାଗ ସହଯୋଗରେ ବନ୍ଧୁକ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା ।



