ସୁଧୀର ପାତ୍ର ହତ୍ୟା ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର
୧୦ଦିନ ମଧ୍ୟରେ ୫ ଏନକାଉଣ୍ଟର
ବ୍ରହ୍ମପୁର : ଆକ୍ସନ ମୂଡ଼ରେ ବ୍ରହ୍ମପୁର ପୋଲିସ । ୧୦ଦିନ ମଧ୍ୟରେ ୫ ଏନକାଉଣ୍ଟରରେ ଥରହର ଅପରାଧୀ । ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ୨ ଅଭିଯୁକ୍ତ ରଞ୍ଜନ ଓ ସରୋଜକୁ ଏନକାଉଣ୍ଟର କରିଛି ପୋଲିସ । ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନର ଭିଲୁଆଡାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠ ରତ୍ନପୁର ଠାରେ ରଞ୍ଜନ ଓ ସରୋଜ ପରିସ୍ରା କରିବାକୁ ଓହ୍ଲାଇ ଥିଲେ । ଏହି ସମୟରେ ଜଣେ ପୋଲିସ କର୍ମଚାରୀଙ୍କ ପିସ୍ତଲ ନେଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ରଞ୍ଜନ ଓ ସରୋଜ । ଏହା ପରେ ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା ।
ପୂର୍ବରୁ ଭିନ୍ନ ଭିନ୍ନ ମାମଲାରେ ମୁକେଶ ସାହୁ ,ଦିପୁନା ନାୟକ ଓ ଜଗନ୍ନାଥ ସାହୁ ଆଦି ୩ ଅପରାଧୀଙ୍କୁ ପୋଲିସ ଏନକାଉଣ୍ଟର କରିଥିବା ବେଳେ ଆଜି ଆଉ ଦୁଇ ଅଭିଯୁକ୍ତ ତଥା ସୁପାରି କିଲରଙ୍କୁ ଗୁଳି କରିଛି ପୋଲିସ ।
ସେହିପରି ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ କୀର୍ତ୍ତିପୁର ଠାରେ ଏନକାଉଣ୍ଟର କରିଥିଲା ପୋଲିସ । ଦିପୁନା ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ୍ । ଗୋଳନ୍ଥରା ଥାନା ଅନ୍ତର୍ଗତ ଟାମଣା ଘାଟିଠାରେ ମୁକେଶକୁ ପୋଲିସ ଗୋଡ଼ାଇ ଗୋଡାଇ ଏନକାଉଣ୍ଟର କରିଥିଲା ।
ସେହିପରି ସୋମବାର ଭୋରରୁ ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ପୋଲିସ କରିଥିଲା ଏନକାଉଣ୍ଟର। ଅମ୍ବିକା ନଗରରେ ମଙ୍ଗଳା ବେହେରା ନାମକ ଜଣେ ଯୁବକଙ୍କୁ ଅପରାଧୀମାନେ ଅତି ନିର୍ମମ ଭାବରେ ହାଣିଥିଲେ। ଏହାର ଭିଡିଓ ଭାଇରାଲ ହେବାର ୫ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଥିଲା ପୋଲିସ। ପୂର୍ବରୁ ମଧ୍ୟ ଓଡିଶା ପୋଲିସ ଡିଜି ଅପରାଧୀମାନଙ୍କ ଚେତାବନୀ ଦେଇସାରିଛନ୍ତି । ଯଦି କୌଣସି ଅପରାଧୀ ନ ସୁଧୁରନ୍ତି, ତେବେ ବ୍ରହ୍ମପୁର ଘଟଣା ସମସ୍ତଙ୍କ ନଜିର ରହିବ ବୋଲି କହିଥିଲେ ।




