ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ୯ ଗିରଫ

ଘଟଣାର ମୁଖ୍ୟ ଅଭିଯୁକ୍ତ ଝିଆରୀ

ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାରେ ୯ ଗିରଫ
Samaya Live News Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲାର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ୍‌ । ହତ୍ୟା ଘଟଣା ପଛରେ ରହିଛି ପାରିବାରିକ ସମ୍ପତ୍ତି ବିବାଦ । ଘଟଣାର ମୁଖ୍ୟ ଅଭିଯୁକ୍ତ ଝିଆରୀ ଏବଂ ତାଙ୍କ ବୟଫ୍ରେଣ୍ଡ କାଳୁ ପ୍ରଧାନଙ୍କ ସହ ମୋଟ୍ ୯ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ପି। କିଛି ଦିନ ପୂର୍ବରୁ ସୁଧୀର ପାତ୍ରଙ୍କ ବଡ଼ ଭାଇଙ୍କ ମୃତ୍ୟୁ ଘଟିଥିଲା ସେହିଦିନ ଠାରୁ ସୁଧୀର ପାତ୍ରଙ୍କୁ ସନ୍ଦେହ କରୁଥିଲେ ଝିଆରୀଙ୍କ ପରିବାର ।

ସୁଧୀର ପାତ୍ରଙ୍କୁ ଅପହରଣ ଓ ହତ୍ୟା କରିବାକୁ ଝିଆରୀ ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍‌ କାଳୁ ପ୍ରଧାନ ଯୋଜନା କରିଥିଲେ । ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଷଡ଼ଯନ୍ତ୍ରରେ ସାମିଲ ଥିଲେ । ନିବେଦିତା - ତୁଷାର - କାଳୁ ମିଶି ଦାଦାଙ୍କ ଠାରୁ ଟଙ୍କା ହଡପ କରିବାକୁ ଷଡଯନ୍ତ୍ର କରିଥିଲେ । ଅଭିଯୁକ୍ତମାନେ ହେଲେ ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର, ତାଙ୍କ ଭଉଣୀ ନିବେଦିତା ପାତ୍ର, ନିବେଦିତା ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ୍ ପଳେଇ । ବ୍ୟବସାୟୀଙ୍କୁ ଅପହରଣ କରି ପିଟି ପିଟି ମାରିବା ପରେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି। ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଫେରାର ରହିଥିବା ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର କହିଛନ୍ତି । 

ସୂଚନାନୁସାରେ, ଚଳିତ ମାସ ୧୫ ତାରିଖ ସନ୍ଧ୍ୟାରେ ସୁଧୀର ଭଲିବଲ ଖେଳି ଘରକୁ ଫେରୁଥିବା ବେଳେ ସୁଧୀରଙ୍କୁ ଅପହରଣ କରାଯାଇଥିଲା । ପରେ ସୁଧୀରଙ୍କ ସ୍ତ୍ରୀକୁ ଫୋନ୍ କଲ୍ ଦ୍ୱାରା ସୁଧୀରଙ୍କୁ ଅପହରଣ ହୋଇଛି ଆଉ ଛାଡିବା ପାଇଁ ୨ କୋଟି ମଗାଯାଇଥିଲା ।

ଏପରିକି ସୁଧୀରଙ୍କୁ କିପରି ପିଟା ଯାଉଛି, ମୁଣ୍ଡରେ ବନ୍ଧୁକ ରଖାଯିବା ସହ ବ୍ଲାଙ୍କ୍ ଫାୟାରିଂ ମଧ୍ୟ କରିବାର ଭିଡିଓ ସ୍ତ୍ରୀଙ୍କୁ ପଠାଇଥିଲେ । କେଉଁଠିକୁ ଟଙ୍କା ଧରି ଆସିବ କୁହାଯାଇଥିଲା । ସ୍ତ୍ରୀ କିଛି ସୁନା ଓ ଟଙ୍କା ଧରି ଆସିକା ଯାଇଥିଲେ ବି ଅପହରଣକାରୀ ଆସିନଥିଲେ । ସେମାନେ ଜାଣି ପାରିଥିଲେ ସୁଧୀରଙ୍କ ସ୍ତ୍ରୀଙ୍କୁ ପୋଲିସ ପିଛା କରୁଛି । ଏହାପରେ ଅପହରଣକାରୀଙ୍କର ଆଉ ପରିବାର ସହ ଯୋଗାଯୋଗ ହୋଇନଥିଲା । ବୁଧବାର ଦିନ ସୋରଡ଼ା ଜଙ୍ଗଲରୁ ସୁଧୀରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । 

Tags: