ପୀତବାସ ପଣ୍ଡା ହତ୍ୟା ମାମଲା,ଅଭିଯୁକ୍ତଙ୍କ ରାୟ ଶୁଣାଣି ସଂରକ୍ଷିତ
ବ୍ରହ୍ମପୁର : ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା I ଗିରଫ ୬ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ମଙ୍ଗଳବାର ବ୍ରହ୍ମପୁର ଏସ୍ଡିଜେଏମ୍ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଆସନ୍ତା ୧୬ ତାରିଖରେ ରାୟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଆଇନଜୀବୀ ଚକ୍ରପାଣି ନାହାକ । ଏହି ୬ ଅଭିଯୁକ୍ତ ହେଲେ ମଳୟ ବିଷୋୟୀ, ଜୟପୁରର ଫାର୍ମ ହାଉସ୍ ମାଲିକ ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ ଓ ଦୁଇ ବିହାରୀ ଯୁବକ କୁନ୍ଦନ କୁମାର ଓ ଶିଶୁପାଳ କୁମାର ପାଶୱାନ । ଏମାନେ ନିଜ ଓକିଲଙ୍କ ଜରିଆରେ ଖଲାସ ପିଟିସନ ଓ ଜାମିନ ଆବେଦନ କରିଥିଲେ ।
ସୂଚନାନୁସାରେ,ଗତବର୍ଷ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ତାଙ୍କ ବୈକୁଣ୍ଠନଗର ସ୍ଥିତ ଘର ନିକଟ ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ବ୍ରହ୍ମପୁରର ପୂର୍ବତନ ବିଧାୟକ ଓ ବିଏମ୍ସି ପୂର୍ବତନ ମେୟର୍ ଶିବ ଶଙ୍କର ଦାଶ ଓରଫ ପିଣ୍ଟୁ ସମେତ ୧୬ ଜଣ ଗିରଫ ହୋଇଥିଲେ । ବର୍ତ୍ତମାନ ୧୫ ଜଣ ଅଭିଯୁକ୍ତ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରଧୀନ ବନ୍ଦୀ ଭାବେ ରହିଥିବା ବେଳେ ପିଣ୍ଟୁ ଫୁଲବାଣୀ ଜେଲରେ ବନ୍ଦୀ ଭାବେ ରହିଛନ୍ତି ।



