ପୀତବାସ ପଣ୍ଡା ହତ୍ୟା ମାମଲା,ଆଜି ଅଭିଯୁକ୍ତଙ୍କ ଟିଆଇ ପରେଡ
ବ୍ରହ୍ମପୁର : ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ହେବ ଟିଆଇ ପରେଡ । ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ଆଜି ୮ ଜଣଙ୍କର ବ୍ରହ୍ମପୁରର ମଣ୍ଡଳ କାରାଗାରରେ ଟିଆଇ ପରେଡ୍ କରାଯିବ । ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଯୋଗୀନ୍ଦ୍ର ରାଉତ, ଶିଶୁପାଲ ପାଶ୍ବାନ, କୁନ୍ଦନ କୁମାର, ସିମାଞ୍ଚଳ ନାୟକ ଓ ବିପିନ ସ୍ୱାଇଁ । ଅଭିଯୁକ୍ତଙ୍କର ଟିଆଇ ପରେଡ ପାଇଁ ମାମଲାର ତଦନ୍ତ ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ବ୍ରହ୍ମପୁର ଏସଡିଜେଏମ କୋର୍ଟରେ ପିଟିସନ ଦାଖଲ କରିଥିଲେ । ମାଜିଷ୍ଟ୍ରେଟ ଏହାର ଶୁଣାଣି କରି ଟିଆଇ ପରେଡ କରିବା ପାଇଁ ଅନୁମତି ଦେଇଛନ୍ତି ।
ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ । ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି ।
ସୂଚନାନୁସାରେ,ଗତ ଅକ୍ଟୋବର ୬ ତାରିଖ କୁମାରପୂର୍ଣ୍ଣିମା ରାତିରେ ପୀତବାସ ପଣ୍ଡା ନିଜ ଚାମ୍ବରରୁ ଘରକୁ ଫେରୁଥିବା ବେଳେ ଘର ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ । ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା (୫୧୮/୨୫) ରୁଜୁ ହୋଇଥିଲା । ଘଟଣାର ତଦନ୍ତ କରି ବୈଦ୍ୟନାଥପୁର ଥାନା ପୋଲିସ ବହୁ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସହ ମୋଟ ୧୬ ଜଣଙ୍କୁ ଗିରଫ କରିଛି । ୧୬ ଜଣଙ୍କ ମଧ୍ୟରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାଶ, ବିଜେଡି ନେତା ମଦନ ଦଳେଇ, କର୍ପୋରେଟର ମଳୟ ବିଷୋୟୀ ରହିଛନ୍ତି ।


