ପାକିସ୍ତାନୀ ଲିଙ୍କ ! ଭୁବନେଶ୍ୱରରୁ ସନ୍ଦିଗ୍ଧ ଯୁବକ ଗିରଫ
ମୋ ପୁଅକୁ ମୋବାଇଲ ବର୍ବାଦ କରିଛି - ଇମ୍ରାନ ର ବାପା
ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ସନ୍ଦିଗ୍ଧ ଯୁବକ ଗିରଫ । କ୍ୟାପିଟାଲ ଥାନା ୟୁନିଟ -୬ ଅଞ୍ଚଳରୁ ଶେଖ୍ଇମ୍ରାନ ନାମକ ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ସ୍ପେଶାଲ ବ୍ରାଞ୍ଚ । ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହୀ ମନ୍ତବ୍ୟ ଦେଇ ପ୍ରଚାର କରୁଥିଲା । ମୌଳବାଦୀ ଚିନ୍ତାଧାରା ରଖୁଥିବା ଇମ୍ରାନର ଆତଙ୍କବାଦୀ ଲିଙ୍କ୍ ଥିବା ସୁରାକ୍ ପାଇ ତାକୁ ଗିରଫ କରାଯାଇଛି । ଗିରଫ ପରେ ଇମ୍ରାନଙ୍କୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ପରେ ଦିଲ୍ଲୀ ପୋଲିସର ବିଶେଷ ଦଳ ତାଙ୍କୁ ଦିଲ୍ଲୀକୁ ନେଇଯାଇଛି । ତେବେ ଏପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ପକ୍ଷରୁ ଏହି ଗିରଫ ସମ୍ପର୍କରେ ସବିଶେଷ ସୂଚନା ପ୍ରକାଶ କରାଯାଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।
ସନ୍ଦିଗ୍ଧ ଯୁବକଙ୍କ ଗିରଫଦାରୀ ପରେ କମିଶନରେଟ୍ ପୋଲିସ ପକ୍ଷରୁ ଭୁବନେଶ୍ୱରର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସହରର ପ୍ରବେଶ ପଥ, ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ୍ ସମେତ ବିଭିନ୍ନ ହୋଟେଲ ଏବଂ ଭଡ଼ା ଘରଗୁଡ଼ିକରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ଏବଂ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଗୁଇନ୍ଦା ବିଭାଗ ପାଖରେ ଉକ୍ତ ସନ୍ଦିଗ୍ଧଙ୍କ ଗତିବିଧି ନେଇ ସୂଚନା ରହିଥିଲା। ପୋଲିସ ଏବଂ ଗୁଇନ୍ଦା ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ବିଶ୍ୱସ୍ତ ସୂତ୍ରରୁ ପକ୍କା ଖବର ପାଇବା ପରେ ୟୁନିଟ୍-୬ ଅଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲେ । ସେଠାରେ ନିଜର ପ୍ରକୃତ ପରିଚୟ ଲୁଚାଇ ଭଡା ଘରେ ରହୁଥିବା ଉକ୍ତ ଯୁବକଙ୍କୁ କାବୁ କରିବାରେ ସୁରକ୍ଷା କର୍ମୀମାନେ ସଫଳ ହୋଇଛନ୍ତି । ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ନକଲି ପରିଚୟ ପତ୍ର, ମୋବାଇଲ୍ ଫୋନ୍ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି । ବିଭିନ୍ନ ସୂତ୍ରରୁ ଉକ୍ତ ଯୁବକଙ୍କ ପାଖକୁ ଟଙ୍କା ଆସୁଥିବା ସୂଚନା ମିଳିଛି ।
ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ଯେ ଏହି ବ୍ୟକ୍ତିଙ୍କର କୌଣସି ବଡ଼ ଆତଙ୍କବାଦୀ ସଂଗଠନ ସହିତ ଲିଙ୍କ୍ ରହିଛି । ସେ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ରାଜଧାନୀରେ ଡେରା ପକାଇଥିଲେ, ତାହାର ଖୋଳତାଡ଼ ଜାରି ରହିଛି।
ସେପଟେ ଇମ୍ରାନ କୁ ଦିଲ୍ଲୀ ପୋଲିସ ଗିରଫ ପରେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ ର ବାପା । ସେ କହିଛନ୍ତି ମୋ ପୁଅ ନିର୍ଦ୍ଦୋଷ ସେ କିଛି ଜାଣିନାହିଁ । ମୋ ପୁଅକୁ ମୋବାଇଲ ବର୍ବାଦ କରିଛି । ସେ ମୋବାଇଲ ରେ ଗେମ ଖେଳେ , ସାଙ୍ଗଙ୍କ ସହ କଥା ହୁଏ । ୮/୧୦ଦିନ ପୂର୍ବରୁ ଦିଲ୍ଲୀ ପୋଲିସ ମୋ ସହ ଆଲୋଚନା କରିଥିଲେ । ସେ କହିଥିଲେ ପୁଅକୁ ନେଇକି ଯିବେ ପଚରା ଉଚରା ପରେ ଛାଡ଼ିଦେବେ ।




