ଏନକାଉଣ୍ଟରରେ ଜଣେ ମାଓବାଦୀ ନିପାତ,୪୧ ଜଣଙ୍କ ଆତ୍ମସମର୍ପଣ
ମାଲକାନାଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ଏନକାଉଣ୍ଟର। ପୁଲିସ ଗୁଳିରେ ଟଳିଲା ଜଣେ ହାର୍ଡକୋର ମାଓବାଦୀ। ଛତିଶଗଡ଼ ବିଜାପୁରରେ ହୋଇଥିଲା ପୋଲିସ-ମାଓବାଦୀ ଗୁଳି ବିନିମୟ। ଭୈରମଗଡ଼ ଥାନା ଇନ୍ଦ୍ରାବତୀ ଜଙ୍ଗଲରେ ମାଓବାଦୀ ଲୁଚି ରହିଥିବା ନେଇ ପୁଲିସକୁ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଓ ସିଆରପିଏଫ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା କମ୍ବିଂ ଅପରେସନ। କମ୍ବିଂ ବେଳେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ବେଳେ ଜଣେ ମାଓବାଦୀର ମୃତ୍ୟୁ ଘଟିବା ସହିତ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ।
ମୃତ ମାଓବାଦୀ ଭୈରବଗଡ଼ ଏରିଆ କମିଟି ମେମ୍ବର ଫଗନୁ ମାଡଭି। ତା ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ, ରେଡିଓ, ମେଡିକାଲ କିଟ୍, ବିଦ୍ୟୁତ ତାର ସହ ନକ୍ସଲଙ୍କ କିଟ୍ ବ୍ୟାଗ୍ ଜବତ ହୋଇଛି । ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ଅପରେସନ ଜାରି ରହିଥିବା ବିଜାପୁର ଏସପି ସୂଚନା ଦେଇଛନ୍ତି।
ସେହିପରି ଗତକାଲି ଛତିଶଗଡ଼ ପୁଲିସ ନିକଟରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨୪ ଜଣ କୁଖ୍ୟାତ ମାଓବାଦୀ ରହିଥିଲେ । ତାଙ୍କ ମୁଣ୍ଡ ଉପରେ କୋଟିଏ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଅସ୍ତ୍ରଶସ୍ତ୍ର ଯଥା ବନ୍ଧୁକ, ବିଜିଏଲ ଲଞ୍ଚର ଏବଂ ବିସ୍ଫୋରକ ସାମଗ୍ରୀ ପୁଲିସକୁ ହସ୍ତାନ୍ତର କରିଛନ୍ତି। ଏହା ସହିତ ୭୩୩ଟି ଗୁଳି ମଧ୍ୟ ଜମା ଦିଆଯାଇଛି। ଏମାନେ ଅତୀତରେ ବହୁ ବଡ଼ ବଡ଼ ହିଂସାକାଣ୍ଡରେ ସାମିଲ ଥିଲେ ବୋଲି ପୋଲିସ ନିକଟରେ ପ୍ରକାଶ କରିଛନ୍ତି।
ଆତ୍ମସମର୍ପଣ କରିଥିବା ପ୍ରତ୍ୟେକ ମାଓବାଦୀଙ୍କୁ ତୁରନ୍ତ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ଏବଂ ଆଗାମୀ ଦିନରେ ସେମାନଙ୍କୁ ଥଇଥାନ ନୀତି ଅନୁସାରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।




