ଗୁଣି ସନ୍ଦେହରେ ପିଟି ପିଟି ମାରିବା ପରେ ବୃଦ୍ଧଙ୍କୁ ଜାଳି ଦେଲେ
ମୋହନା : ଗୁଣି ସନ୍ଦେହରେ ବର୍ବର କାଣ୍ଡ । ଜଣେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଜାଳି ଦେଇଛନ୍ତି ଲୋକେ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ମେରମା (ବା ନେରାମା) ଗ୍ରାମରେ । ମୃତକ ହେଲେ ଗାଁର ରାମଚନ୍ଦ୍ର ମଳିକ (୫୦)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧାପୋଡା ଶବ ଜବତ କରି ତଦନ୍ତ ଜାରି ରଖିଛି ।
ଘଟନାନୁସାରେ , ରାମଚନ୍ଦ୍ର ମଳିକ ଗତ ୧୦ ବର୍ଷ ହେଲା ପରିବାର ସହ ଗାଁ ନିକଟସ୍ଥ ପାହାଡ଼ରେ ରହୁଥିଲେ ଏବଂ ଜଡ଼ିବୁଟି ସାହାଯ୍ୟରେ ଲୋକଙ୍କ ଚିକିତ୍ସା କରୁଥିଲେ । ଗାଁରେ କାହାର ମୃତ୍ୟୁ ହେଲେ ରାମଚନ୍ଦ୍ର ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମବାସୀ ସନ୍ଦେହ କରୁଥିଲେ । ନିକଟରେ ଗାଁରେ ଜଣେ ମହିଳା ଏବଂ ଦୁଇ ମାସର ଏକ ଶିଶୁର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ସନ୍ଦେହ କରିଥିଲେ ଯେ ରାମଚନ୍ଦ୍ର ଗୁଣି ଗାରେଡ଼ି କରି ସେମାନଙ୍କୁ ମାରି ଦେଇଛନ୍ତି । ସନ୍ଦେହ କରି ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟାରେ କିଛି ଗ୍ରାମବାସୀ ପାହାଡ଼କୁ ଯାଇ ତାଙ୍କୁ ଡାକି ଆଣିଥିଲେ ଏବଂ ଗାଁ ଦାଣ୍ଡରେ ବୈଠକ କରି ପିଟି ପିଟି ହତ୍ୟା କରିଥିଲେ । ପରେ ନିକଟସ୍ଥ ଜଙ୍ଗଲରେ ମୃତଦେହକୁ ଜାଳି ଦେଇଥିଲେ । ଆକ୍ରମଣ ବେଳେ ବଞ୍ଚାଇବାକୁ ଚେଷ୍ଟା କରି ତାଙ୍କ ପତ୍ନୀ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ମୋହନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିକଟସ୍ଥ ପାହାଡ଼ ନିକଟରୁ ମୃତଦେହ ପୋଡ଼ା ଯାଇଥିବା ସ୍ଥାନକୁ ଠାବ କରିଛି । ଏହି ଘଟଣାରେ ସମ୍ପୃକ୍ତ କିଛି ଗ୍ରାମବାସୀଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।




