ଓଡିଶା ଭିଜିଲାନ୍ସ ରେ ରେକର୍ଡ ,ଖଣି ଅଧିକାରୀଙ୍କ ଘରୁ ମିଳିଲା ନଗଦ ୪ କୋଟିରୁ ଉର୍ଦ୍ଧ୍ବ
କଟକ : ଭିଜିଲାନ୍ସ ତାଜୁବ ! ଓଡିଶା ଭିଜିଲାନ୍ସ ଇତିହାସରେ ରେକର୍ଡ । ଖଣି ଅଧିକାରୀଙ୍କ ଘରେ ଟଙ୍କାର ପାହାଡ଼ । ଘରୁ ଜବତ ହେଲା ନଗଦ ୪ କୋଟିରୁ ଉର୍ଦ୍ଧ୍ବ କ୍ୟାସ୍ । କଟକ ସର୍କଲର ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଗତକାଲି ଲାଇସେନ୍ସପ୍ରାପ୍ତ କୋଇଲା ବିକ୍ରେତାଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଖଣି ଅଧିକାରୀ ଦେବବ୍ରତ ମହାନ୍ତି ।
ଆଜି ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱର ପଟିଆସ୍ଥିତ ଫ୍ଲାଟରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏହା ଏବେ ସୁଦ୍ଧା ସବୁଠାରୁ ବଡ଼ ନଗଦ ଟଙ୍କା ଜବତ ବୋଲି କୁହାଯାଉଛି । ଟ୍ରଲି ବ୍ୟାଗ୍ ରେ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ତାଙ୍କ ଅଫିସ୍ ଡ୍ରୟରରୁ ମଧ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ମିଳିଛି । ଟଙ୍କା ଗଣତି ଏବେ ମଧ୍ୟ ଜାରି ରହିଛି । ୫ ରୁ ଅଧିକ ଭିଜିଲାନ୍ସ କର୍ମଚାରୀ ମେସିନ ସାହାଯ୍ୟରେ ଟଙ୍କା ଗଣୁଛନ୍ତି ।
ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଭୁବନେଶ୍ୱର ପାହଳଠାରେ ୨୪୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଏବଂ ପ୍ରାୟ ୧୩୦ ଗ୍ରାମର ସୁନା ଗହଣା ଠାବ ହୋଇଛି । ଭୁବନେଶ୍ୱର ଫ୍ଲାଟ୍, ଭଦ୍ରକର ପୈତୃକ ଘର ଏବଂ କଟକ ଅଫିସରେ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଅନ୍ୟ ସମ୍ପତ୍ତି ଗୁଡିକର ମଧ୍ୟ ଠାବ କରୁଛି ଭିଜିଲାନ୍ସ ।



