ଏୟାରଫିଲଡ ଥାନାରେ NIA ଟିମ
ଭୁବନେଶ୍ୱର : ସୁନ୍ଦରପଦା ଆଜାଦ ନଗର ବୋମା ବିସ୍ଫୋରଣ ମାମଲା । ଏୟାରଫିଲଡ ଥାନାରେ NIA ଟିମ । ବିସ୍ଫୋରଣ ଘଟଣାରେ ଅପରାଧିକ ଓ ଆତଙ୍କୀ ଲିଙ୍କ୍କୁ ନେଇ ତନାଘନା କରୁଛି NIA । ବୋମାରେ RDXରେ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥ ବ୍ୟବହାର ହୋଇଥିବା ପ୍ରମାଣ ମିଳିବା ପରେ NIA ଏହି ଘଟଣାକୁ ଗୁରୁତ୍ୱର ସହ ନେଇଛି । ୩ ଜଣିଆ ଏନଆଇଏ ଟିମ୍ ଆଜି (ଗୁରୁବାର) ଏୟାରଫିଲ୍ଡ ଥାନା ଯାଇ ଖୋଳତାଡ ଆରମ୍ଭ କରିଛି । ଥାନା ଅଧିକାରୀଣି ଦୀପିକା ଦେବୀ ରାୟଙ୍କ ସହ NIA ଟିମ୍ ଆଲୋଚନା କରିବା ସହ ମାମଲା ସମ୍ବନ୍ଧିତ ତଥ୍ୟ ନେଇଛନ୍ତି । ଘଟଣାସ୍ଥଳରୁ ମିଳିଥିବା ବୋମା ସାମଗ୍ରୀକୁ ପରୀକ୍ଷା ପାଇଁ ଫୋରେନସିକ୍ ଲ୍ୟାବ୍ ପଠାଯାଇଥିଲା । ରିପୋର୍ଟ ଆସିବା ପରେ ଏବେ ତଦନ୍ତକୁ ଜୋରଦାର କରିଛି NIA ।
ଜାନୁଆରୀ ୨୭ ତାରିଖରେ ସୁନ୍ଦରପଦା ଆଜାଦନଗରରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନୱାଜ ମଲ୍ଲିକ ଏବଂ ତା ମାଆଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ମାମଲା ରୁଜୁ କରି ପୂର୍ଣ୍ଣ ତଦନ୍ତ ଭାର ନେଇଛି NIA ଟିମ୍ । ଆନ୍ତଃରାଜ୍ୟ ଲିଙ୍କ୍, ପୂର୍ବ ଅପରାଧିକ ମାମଲା ସମ୍ପର୍କରେ ଖୋଳତାଡ଼ ହେବ । ଏତେ ପରିମାଣ RDX କେଉଁଠାରେ ବ୍ୟବହାର ହୋଇଥାନ୍ତା ତାର ମଧ୍ୟ ଛାନଭିନ୍ କରିବ NIA । ସେହେନୱାଜ ମଲ୍ଲିକ ଓରଫ ମୁଫି ଏହି ରସାୟନିକ ପଦାର୍ଥ କେଉଁଠୁ ଆଣିଥିଲା ସେନେଇ ଜାଣିବାକୁ NIA ଗମ୍ଭୀରତାର ସହ ତଦନ୍ତ କରୁଛି। ଏନେଇ ଲ୍ୟାବ ରିପୋର୍ଟ ଆସିବା ପରେ ଭୁବନେଶ୍ୱରସ୍ଥିତ NIA ଶାଖା ପକ୍ଷରୁ କିଛିଦିନ ତଳେ ମାମଲା (ନଂ.୧/୨୦୨୬) ପଞ୍ଜିକୃତ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ନିୟୁ ଆଜାଦନଗରରେ ବୋମା ବିସ୍ଫୋରଣ ଘଟଣାରେ ୪ ଜଣ ଆହତ ହୋଇଥିଲେ । ବୋମା ଭିଡ଼ୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜଙ୍କ ସମେତ ତାଙ୍କ ବାନ୍ଧବୀ, ମାଆ ଓ ବନ୍ଧୁ ଅମୀୟ ମଲ୍ଲିକ ଆହତ ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ମୁଖ୍ୟ ଅଭିଯୁକ୍ତ ସେହେନଓ୍ବାଜ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ଘଟିଥିଲା ।



