ସୁନ୍ଦରପଦା ବାଣ ବିସ୍ଫୋରଣ ଘଟଣାରେ NIA ତଦନ୍ତ ଜାରି
ଭୁବନେଶ୍ୱର : ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ବାଣ ବିସ୍ଫୋରଣ ଘଟଣାରେ ତଦନ୍ତ ଆରମ୍ଭ କରିଛି NIA (ଜାତୀୟ ତଦନ୍ତ ଏଜେନ୍ସି) । ଘଟଣାରେ ନିର୍ଦ୍ଦିଷ୍ଟ ଗୋଷ୍ଠୀ ସଂପୃକ୍ତି ମିଳିବା ପରେ ଏହାକୁ ଅତି ଗୁରୁତର ସହ ନେଇଛି NIA । ଏହି ଘଟଣାକୁ ଅସାମାନ୍ୟ ଦୃଷ୍ଟିରେ ଦେଖି, ଏବଂ ସଂପୃକ୍ତ ଥିବା ତଥା ଆହତ ହୋଇଥିବା ସମସ୍ତଙ୍କୁ ଜେରା କରୁଛି ଏଜେନ୍ସି । କେବଳ ଗୁରୁତର ଆହତଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଏହି ଜେରାର ସମ୍ମୁଖୀନ ହେଉଛନ୍ତି । କେଉଁ ଉଦ୍ଦେଶ୍ୟରେ ଛାତ ଉପରେ ଲୁଚି କରି ଏହି ବୋମା ତିଆରି ହେଉଥିଲା, ଏହା ପଛରେ କେବଳ ବିସ୍ଫୋରକ ଯୋଗାଣ ଉଦ୍ଦେଶ୍ୟ ନା କିଛି ବଡ଼ ଯୋଜନା ଥିଲା ଏମାନଙ୍କର ତାହା ବି ତଦନ୍ତ ଚାଲିଛି । ଘର ମାଲିକଙ୍କୁ ପ୍ରଥମେ ଜେରା କରିଛି ଏନଆଇଏ ।
ସୂଚନାନୁସାରେ,ଗତକାଲି ଅପରାହ୍ନରେ ଯେ ଭୁବନେଶ୍ୱର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦନଗରରେ ଥିବା ଏକ ଘର ଛାତ ଉପରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା । ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୫ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୨ଜଣ ମହିଳା ରହିଥିବା ସୂଚନା ମିଳିଥିଲା । ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ସେହେନବାଜ ଓ ତାଙ୍କ ଝିଅ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଆହତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ସେହନବାଜ ମଲିକ, ତୃପ୍ତିମୟୀ ବଳ, ସେହନବାଜଙ୍କ ୨ ସାଙ୍ଗ ସାହିଲ୍ ଖାନ୍ ଏବଂ ସୋମ୍ୟରଞ୍ଜନ ସ୍ବାଇଁ ଥିଲେ । ଖବର ପାଇ ଡିସିପି ଏବଂ ଫୋରେନସିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚତ୍ ଛାନଭିନ୍ କରୁଛନ୍ତି। ଅନୁସନ୍ଧାନରୁ ଜଣାପଡିଥିଲା ମୁଖ୍ୟ ଅଭିଯୁକ୍ତ ସେହନବାଜ ନାଁରେ ଭୁବନେଶ୍ୱର ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଏକାଧିକ ଅପରାଧିକ ମାମଲା ରହିଛି । ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ସେହନବାଜ ବିରୋଧରେ ରହିଛି । ସେ ବେଆଇନଭାବେ ବୋମା ଭିଡ଼ି ଅପରାଧୀମାନଙ୍କୁ ବିକ୍ରି କରିଥାନ୍ତି । ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିବା ପରେ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ତଦନ୍ତ କରୁଛି ।



