ଦିବ୍ୟାଙ୍ଗ ଯୁବକଙ୍କ ହାଜତ ମୃତ୍ୟୁ ଘଟଣା , ରିପୋର୍ଟ ମାଗିଲେ NHRC
ଭୁବନେଶ୍ୱର : ଥାନାରେ ନିର୍ଯ୍ୟାତନା ଯୋଗୁଁ ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କ ମୃତ୍ୟୁ ଘଟଣା । ଏହାକୁ ଗମ୍ଭୀରତାର ସହ ନେଇ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସପି ଙ୍କୁ କଡ଼ା ନୋଟିସ୍ ଜାରି କରିଛନ୍ତି ଜାତୀୟ ମାନବାଧିକାର ଆୟୋଗ (NHRC) । ଆସନ୍ତା ୩ ସପ୍ତାହ ମଧ୍ୟରେ ଘଟଣାର ସମ୍ପୂର୍ଣ୍ଣ ‘Action Taken Report’ (ATR) ବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି ।
ମାମଲାର ୧୪ଟି ଦିଗ ଉପରେ ଉତ୍ତର ରଖିବାକୁ NHRC ପକ୍ଷରୁ ରିପୋର୍ଟ ତଲବ କରାଯାଇଛି। ଏପରିକି ପୋଲିସ ପ୍ରଶାସନ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାଇବାକୁ NHRCଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।
ହ୍ୟୁମାନ୍ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ (HRF India) ର ଅଧ୍ୟକ୍ଷ ମନୋଜ ଜେନାଙ୍କ ପକ୍ଷରୁ ଗତ ୧ ଜୁନ୍ ୨୦୨୬ ରେ ଦାଖଲ ହୋଇଥିବା ଅଭିଯୋଗ ଆଧାରରେ ଆୟୋଗ (Case No.-482/18/5/2026-AD) ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖରେ ବେଆଇନ ପଥର ଫଟା ମାମଲାରେ ସୁଶାନ୍ତଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଥିଲା। ଏହାପୂର୍ବରୁ ଏହି ମାମଲାରେ ୨ ଜଣ ଗିରଫ ହୋଇଥିଲେ। ତେବେ ସୁଶାନ୍ତଙ୍କ ସଂପୃକ୍ତି ପ୍ରମାଣିତ ହୋଇ ନଥିଲା । ୭ ଦିନ କାଳ ଥାନାରେ ରଖି ଗତ ୩୧ ମେ' ରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସେତେବେ ସେ ଅସୁସ୍ଥ ହୋଇ ପଡ଼ିଥିଲେ ପରିବାର ଲୋକେ ତାଙ୍କୁ ଜୁନ ୧ ତାରିକରେ ପ୍ରଥମେ ଆସିକା ଡାକ୍ତରଖାନା ନେଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣ କରିଥିଲେ । କବିସୂର୍ଯ୍ୟନଗର ପୋଲିସର ଅମାନୁଷିକ ନିର୍ଯାତନା ଯୋଗୁଁ ସୁଶାନ୍ତ ସାହୁଙ୍କର ମୃତ୍ୟୁ ଘଟିଥିଲାବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ୨ ଜୁନ୍ ୨୦୨୬ ରେ ଏହି ମାମଲାକୁ ବିଚାରକୁ ନେଇ NHRC ର ଲ’ ଡିଭିଜନ ଗଞ୍ଜାମ ପ୍ରଶାସନକୁ ୧୪ଟି ପ୍ରମୁଖ ଦସ୍ତାବେଜ ଓ ରିପୋର୍ଟ ମାଗିଛନ୍ତି ।
ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି ନୀତିଶେଖର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାର ପ୍ରାଥମିକ ତଦନ୍ତ ପରେ କବିସୂର୍ଯ୍ୟନଗର ଥାନା ଦାୟିତ୍ୱରେ ଥିବା ଏଏସ୍ପି ନୀତେଶ କୁମାର ମିଶ୍ରଙ୍କୁ ଜିଲା ପୋଲିସ ହେଡକ୍ୱାର୍ଟରକୁ ବଦଳି କରାଯାଇଛି। ଥାନାର ୩ ଜଣ ପୋଲିସ ଅଧିକାରୀଙ୍କୁ ଗଞ୍ଜାମ ଏସ୍ପି ହରିଶ ବିସି ନିଲମ୍ବିତ କରିଛନ୍ତି। ଏସ୍ଆଇ ସମୀର କୁମାର ରାଉତ, ବାଲିଛାଇ ଫାଣ୍ଡିର ଏଏସ୍ଆଇ ବୈକୁଣ୍ଠ ଜେନା ଏବଂ କନଷ୍ଟେବଲ୍ ସୁମନ କୁମାର ସାହୁଙ୍କୁ ନିଲମ୍ବନ କରାଯାଇଛି।



