ଘରକୁ ଡାକି ସାଙ୍ଗକୁ ବଳି ଚଢ଼ାଇଲା ସାଙ୍ଗ
ବଲାଙ୍ଗିର : ବଲାଙ୍ଗୀରରେ ଚାଞ୍ଚଲ୍ୟ । ଅନ୍ଧବିଶ୍ୱାସର କରୁଣ ପରିଣତି । ୫ଦିନ ପରେ ସାମ୍ନାକୁ ଆସିଲା ପାଣିରୁ ଉଦ୍ଧାର ହୋଇଥିବା ମୁଣ୍ଡ ବିହୀନ ଶବ ପଛର ଘଟଣା । ମାନସିକ ପୂରଣ ପାଇଁ ସାଙ୍ଗକୁ ଘରକୁ ଡାକି ବଳି ଦେଇଥିଲା ସାଙ୍ଗ । ଏହାପରେ ମୁଣ୍ଡକୁ ପୂଜାପାଠ କରି ଘର ଅଗଣାରେ ପୋତିବା ପରେ ଗଣ୍ଡିକୁ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । ଏଭଳି ଲୋମଟାଙ୍କୁରା ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ । ମୃତକ ତୁଷୁରା ଥାନା ବଡ଼ାମୁଣ୍ଡା ଗ୍ରାମର ସନ୍ତୋଷ ଖର୍ସେଲ (୪୫)। ହତ୍ୟା ଅଭିଯୁକ୍ତ ବଗଡ଼ା ଗାଁର ଶତ୍ରୁଘ୍ନ ସାହୁକୁ ପୁଲିସ୍ ଅଟକ ରଖିଛି । ତେବେ ମାଡ଼ ନିଶାରେ ଏପରି ହତ୍ୟାକାଣ୍ଡ ଘଟିଥିବା କହିଛି ଅଭିଯୁକ୍ତ ଶତ୍ରୁଘନ ସାହୁ ।
ଘଟନାନୁସାରେ, ଗତ ୫ଦିନ ପୂର୍ବରୁ ଦେଓଗାଁ ବଗଡ଼ା ଗାଁ ହାଇସ୍କୁଲ ପୋଖରୀରୁ ଏକ ମୁଣ୍ଡବିହୀନ ଗଳିତ ଶବ ଜବତ କରିଥିଲା ପୋଲିସ । ମୃତଦେହର ମୁଣ୍ଡ ନ ଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ୍ ପ୍ରଥମରୁ ସନ୍ଦେହ କରିଥିଲା। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ତଦନ୍ତ ବେଳେ ମୃତଦେହଟି ୫ଦିନ ଧରି ନିଖୋଜ ଥିବା ଟେବେଡ଼ାମୁଣ୍ଡା ଗାଁର ସନ୍ତୋଷ ଖରସେଲଙ୍କର ବୋଲି ଜଣାପଡ଼ିଥିଲା । ତାଙ୍କ ଘରକୁ ଖବର ପଠାଇବା ପରେ ପରିବାର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଅଧିକ ତଦନ୍ତ ବେଳେ ଘଟଣାରେ ବଗଡ଼ା ଗାଁର ଶତୃଘନ ସାହୁ ସମ୍ପୃକ୍ତି ଥିବା ନେଇ ଜଣାପଡିଥିଲା । ଏହାପରେ ଦେଓଗାଁ ଥାନା ଏସ୍ଡିପିଓ ସରୋଜ ଉପାଧ୍ୟାୟ ଶତ୍ରୁଘ୍ନକୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।
ପୋଲିସ ଜେରା ପରେ ସନ୍ତୋଷଙ୍କୁ ହତ୍ୟା କରିଥିବା ଶତ୍ରୁଘ୍ନ ମାନି ନେଇଥିଲା । ସନ୍ତୋଷକୁ ଘରକୁ ଡାକି ପ୍ରଥମେ ମଦ ପିଆଇଥିଲା ଶତ୍ରୁଘ୍ନ । ପରେ ପୂଜା ପାଠ କରି ଶତ୍ରୁଘନର ମୁଣ୍ଡ କାଟି ଘର ଅଗଣାରେ ପୋତିଦେଇଥିବା ସହ ଶରୀରକୁ ପୋଖରୀକୁ ଫିଙ୍ଗି ଦେଇଥିବା କଥା କହିଥିଲା । ଘର ଭିତରେ ପୋଲିସ ଯାଞ୍ଚ କରିବାରୁ ଘଟଣାସ୍ଥଳରୁ ଖୋଳି କଟାମୁଣ୍ଡ ଜବତ କରିଥିଲା। କଟାମୁଣ୍ଡ ପୋତାଯାଇଥିବା ଘରେ ତିନୋଟି ତମ୍ବା ନାଗ ଏବଂ କାଠଖୁଣ୍ଟରେ ପୂଜାର୍ଚ୍ଚନା କରି ବେଲପତ୍ର ଚଢ଼ାଯାଇଥିବା ଦେଖିବାକୁ ମିଳିଛି । ଶତ୍ରୁଘ୍ନକୁ ,ସନ୍ତୋଷଙ୍କୁ ବଳି ଦେଇଥିବା ସ୍ୱୀକାର କରିବା ସହ ସମସ୍ତ ଘଟଣା ବଖାଣିଥିଲା । ଏଥିରେ ଶତୃଘନର ପୂରା ପରିବାର ସାମିଲ ବୋଲି ସନ୍ତୋଷ ପରିବାର ଲୋକେ ଅଭିଯୋଗ କରିଛନ୍ତି ।




