କ୍ରାଇମ ସିନ ରୀ-କ୍ରିଏସନ କରିବ ହତ୍ୟା ଅଭିଯୁକ୍ତ
କରଞ୍ଜିଆ : ଅଖାରୁ ନାବାଳିକାଙ୍କ ମୃତଦେହ ମିଳିବା ଘଟଣା । ଆଜି ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ନେଇ କ୍ରାଇମ ସିନ ରୀ-କ୍ରିଏସନ କରାଇବ ପୋଲିସ । ଏକ ତରଫା ପ୍ରେମରୁ ନାବାଳିକାଙ୍କୁ ହତ୍ୟା କରି ଅଖାରେ ବାନ୍ଧି ଜଙ୍ଗଲରେ ଫିଙ୍ଗିଥିଲା ଅଭିଯୁକ୍ତ । ଗତକାଲି ଅଖା ଭିତରୁ ନିଖୋଜ ନାବାଳିକା ଛାତ୍ରୀଙ୍କ ମୃତଦେହ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଟାଉନ ଥାନା ଅଞ୍ଚଳରେ । ପ୍ରେମ ପାଇଁ ହତ୍ୟା ଅଭିଯୋଗରେ ପୂର୍ବତନ ଟ୍ୟୁସନ ମାଷ୍ଟର କରଞ୍ଜିଆ ବାଙ୍କୀ ସାହିର ତ୍ରିଲୋଚନ ମହାକୁଡ଼କୁ ଗିରଫ କରି ଆଜି ସିନ୍ ରିକ୍ରିଏସନ୍ କରାଇଛି ପୋଲିସ । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ ।
ଘଟନାନୁସାରେ, ଗତ ୧୯ ତାରିଖ ସନ୍ଧ୍ୟାରୁ କରଞ୍ଜିଆ ଏନଏସି ୱାର୍ଡ ନ ୧୫ ଅଞ୍ଚଳରୁ ଜଣେ ସ୍କୁଲ ଛାତ୍ରୀ ନିଖୋଜ ଥିଲେ । ସେ ସ୍ଥାନୀୟ ଶିଶୁ ମନ୍ଦିରରେ ୮ମ ଶ୍ରେଣୀରେ ପଢୁଥିଲେ । ତାଙ୍କ ନିଖୋଜ ନେଇ ପରିବାର ପକ୍ଷରୁ କରଞ୍ଜିଆ ଥାନାରେ ଏତଲା ଦିଆଯାଇଥିବାବେଳେ ୨୦ତାରିଖ ସକାଳେ ଘର ଠାରୁ ମାତ୍ର କେଇ ମିଟର ଦୂରରେ ଏକ ଅଖା ଭିତରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ପରେ ଟ୍ୟୁସନ ସାର ତ୍ରିଲୋଚନ ମହାକୁଡ଼ଙ୍କ ନାଁରେ ପୁଣି ଥରେ ଥାନାରେ ଏତଲା ଦେଇଥିଲେ ମୃତା ଛାତ୍ରୀଙ୍କ ପରିବାର । କାରଣ ସେ ପୂର୍ବରୁ ଛାତ୍ରୀଙ୍କୁ ଟ୍ୟୁସନ କରୁଥିବାବେଳେ ତାଙ୍କ ଆଚରଣକୁ ନେଇ ଛାତ୍ରୀଙ୍କ ପରିବାର ଟ୍ୟୁସନ ବନ୍ଦ କରିଥିଲେ I ଏପରିକି ଆଖପାଖ ପିଲାଙ୍କ ଟ୍ୟୁସନ ମଧ୍ୟ ବନ୍ଦ କରିବାକୁ ତାଙ୍କ ଅଭିଭାବକ ମାନଙ୍କୁ ଛାତ୍ରୀଙ୍କ ପରିବାର କହିଥିଲେ I ସେତେବେଳେ ଏହି ଘଟଣାର ବିବାଦ ଉପୁଜି ଟ୍ୟୁସନ ସାରଙ୍କ ନାଁ ରେ ଥାନାରେ ଏତଲା ଦିଆଯାଇଥିଲା । ତେବେ ଏହି ଘଟଣାରେ ଉକ୍ତ ଟ୍ୟୁସନ ସାର କ୍ରୋଧାନ୍ୱିତ ହୋଇ ପରବର୍ତ୍ତୀ ଅବସ୍ଥାରେ ଛାତ୍ରୀଙ୍କ ସହ ପୁଣି ଥରେ ସମ୍ପର୍କ ଯୋଡ଼ିଥିଲେ I ଘଟଣାଦିନ ଛାତ୍ରୀଙ୍କୁ ଡାକିଥିଲେ ତ୍ରିଲୋଚନ ଏବଂ ବେଲ୍ଟ ସାହାଯ୍ୟରେ ତାଙ୍କ ତଣ୍ଟିଚିପି ହତ୍ୟା କରି ଏକ ଅଖାରେ ଭର୍ତ୍ତିକରି ଜଙ୍ଗଲରେ ଫିଙ୍ଗିଦେଇଥିଲେ । ପୋଲିସ ହାତରେ ଧରାପଡ଼ିବା ପରେ ଏହି ଘଟଣାକୁ ତ୍ରିଲୋଚନ ସ୍ୱୀକାର କରିଥିଲେ ।



