ଭିଜିଲାନ୍ସ ହାତରେ ଗିରଫ ହେଲେ କୋଟିପତି ରାଜସ୍ୱ ସହାୟକ
ଭୁବନେଶ୍ୱର : ସମ୍ବଲପୁର ସେଟଲମେଣ୍ଟ ଅଫିସର ବରିଷ୍ଠ ରାଜସ୍ବ ସହାୟକ ଗିରଫ । ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାସୁଦେବ ଭୋଇଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ପକ୍ଷରୁ ତାଙ୍କ ବରଗଡ଼ ଏବଂ ସମ୍ବଲପୁରରେ ଥିବା ୪ ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୧୬ଟି ପ୍ଲଟ୍ ଠାବ ହୋଇଥିଲା ।
ଭିଜିଲାନ୍ସ ଚଢ଼ଉବେଳେ ବାସୁଦେବ ଭୋଇଙ୍କର ବରଗଡ଼ରେ ୪୦୦୦ ବର୍ଗଫୁଟର ଏକ ଦୁଇମହଲା କୋଠା, ସମ୍ବଲପୁରର ଚାରଭାଟିରେ ୧୭୦୦ ବର୍ଗଫୁଟର ଗୋଟିଏ କୋଠା, ବରଗଡ଼ ସହରରେ ୧୨, ସମ୍ବଲପୁର ସହରରେ ୩ଟି ଏବଂ ସମ୍ବଲପୁର ଉପକଣ୍ଠରେ ଗୋଟିଏ ସମେତ ୧୬ଟି ମୂଲ୍ୟବାନ ପ୍ଲଟ୍ ଠାବ କରାଯାଇ ଥିଲା । ସେହିପରି ୧୧.୫୬ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା, ୧୧ ଲକ୍ଷ ଟଙ୍କାର ଗୋଟିଏ ଚାରି ଚକିଆ ଏବଂ ୪ଟି ଦୁଇ ଚକିଆ ଯାନ ଥିବା ସୂଚନା ମିଳିଥିଲା ଏହାସହ ପାଖାପାଖି ୬.୦୭ ଲକ୍ଷ ଟଙ୍କାର ଘରଉପକରଣ ମଧ୍ୟ ରହିଛି । ଚଢ଼ାଉ ସମୟରେ ଆୟଠୁ ଅଧିକ ସଂପତ୍ତି ଠୁଳ କରିବା ସଂପର୍କରେ ବାସୁଦେବ ଭୋଇ ଭିଜିଲାନ୍ସକୁ କୌଣସ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସର ୨ ଜଣ ଡିଏସ୍ପିଙ୍କ ସହ ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ ।



