ପଥରରେ ଛେଚି ଶାଶୁଙ୍କୁ ହତ୍ୟା,ବୋହୁ ଓ ସମୁଦୁଣୀ ଅଟକ
ଅନୁଗୁଳ: ପାରିବାରିକ କଳହର ଉଗ୍ର ରୂପ । ମା' ସହ ମିଶି ଶାଶୁଙ୍କୁ ହତ୍ୟା କଲା ବୋହୁ । ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ । ମୃତକ ହେଲେ ଶାଶୁ କୁନି ନାୟକ । ବୋହୂ ସରିତା ସାହୁ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଛନ୍ତି । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ସଦର ଥାନା ପୁଲିସ ତଦନ୍ତ ରଖିଛି ।
କାହ୍ନୁ ନାୟକଙ୍କ ଅଭିଯୋଗ ଅନୁଯାୟୀ ଘରେ ସବୁବେଳେ ଶାଶୁ ବୋହୁଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମା'କୁଆଡେ ଗଲେ ବୋଲି ପତ୍ନୀ ସରିତାଂକୁ ପଚାରିଥିଲେ ଇ ତେବେ ମା' ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମା'ପଡ଼ିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।




