ବିପୁଳ ପରିମାଣରେ ଧଳା ଜହର ସହ ମା'ପୁଅ ଗିରଫ
ଢେଙ୍କାନାଳ : ଧଳା ଜହର କାରବାରରେ ମା'ପୁଅ ଗିରଫ । କାମାକ୍ଷାନଗରର ମୁଣ୍ଡିଦେଉଳି ସାହିରେ ବ୍ରାଉନସୁଗାର କାରବାର ସୂଚନା ପାଇ ଅବକାରୀ ବିଭାଗର ଚଢ଼ାଉ କରିଥିଲା । ସେମାନଙ୍କ ନିକଟରୁ ୬୮୦ ଗ୍ରାମର ବ୍ରାଉନ ସୁଗର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୬୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଗିରଫ ହୋଇଥିବା ଦୁଇ ଜଣ ମୁଣ୍ଡିଦେଉଳି ସାହିର ମାଆ ମମତା ସାହୁ ଓ ପୁଅ ଆକାଶ ସାହୁ । ତେବେ ବ୍ୟବସାୟରେ ସାମିଲ ଥିବା ଆଉ ଜଣେ ପୁଅ ଫେରାର ହୋଇଯାଇଛି । ତାକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ।
ଏହି ମା ଓ ପୁଅ ଗ୍ୟାଙ୍ଗ ଦୀର୍ଘ ଦିନ ଧରି କାମାକ୍ଷାନଗର ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରି ଆସୁଥିଲେ l ଖବର ପାଇ ଅବକାରୀ ବିଭାଗ ଆଜି ମା, ପୁଅ ଗ୍ୟାଙ୍ଗ ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହିତ ଗିରଫ କରିବାରେ ସକ୍ଷମ ହୋଇଛି l ଢେଙ୍କାନାଳ ଜିଲ୍ଲାରେ ଏତେ ବଡ଼ ପରିମାଣରେ ବ୍ରାଉନସୁଗାର ଜବତ ହେବା ଏହା ପ୍ରଥମ ଘଟଣା । ତେବେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆସିଲା ଏବଂ ଏହା ପଛରେ ଆଉ କେଉଁମାନେ ସମ୍ପୃକ୍ତି ଅଛନ୍ତି ସେ ନେଇ ମଧ୍ୟ ଖୋଳତାଡ଼ ଜାରି ରହିଛି l ଗିରଫ ମା ଓ ପୁଅଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଅବକାରୀ ଉପ ଅଧିକ୍ଷକ ସାୱନ ଭୋଳ କହିଛନ୍ତି l


