ଖୋର୍ଦ୍ଧାରେ ଭିଡ଼ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା

ଖୋର୍ଦ୍ଧାରେ ଭିଡ଼ ହିଂସା, ଯୁବକଙ୍କୁ ପିଟି ପିଟି ହତ୍ୟା
Samaya Live News Picture
Published On

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଭିଡ଼ ହିଂସା ଇ ଗତ ୨୮ ତାରିଖ ଦିନ ଅପରାହ୍ନ ୪ଟା ବେଳେ ଖଣାତ ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିଥିଲେ ଗାଁ ଲୋକେ । ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ବାଣପୁର ପୋଲିସ । ଭୁବନେଶ୍ୱର ବାଲିଅନ୍ତା ଏବଂ କଲ୍ୟାଣ୍ସିଂପୁର ଇନ୍ତାଲିଗୁଡ଼ା ପରେ ବାଣପୁରରେ ଭିଡ଼ ହିଂସା ନେଇଛି ଯୁବକଙ୍କ ଜୀବନ ।  ଯୁବକଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ, ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାନୁସାରେ, ଗତ ୨୮ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ବାଣପୁର ଥାନା ଖଣାତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ଘରୁ ଚୋରି ହୋଇଥିଲା । ତେବେ ଚୋରି ଅଭିଯୋଗରେ ବାଣପୁର ଥାନା ଭୀମପୁର ଗାଁ ବାଘୁଆ ପଦର ସାହିର ଭିକାରୀ ନାୟକଙ୍କ ପୁଅ ତୋଫାନ ନାୟକଙ୍କୁ ଧରି ଗାଁ ଦାଣ୍ଡରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ଖଣାତ ଗାଁ ଲୋକେ । ଖବର ପାଇ ବାଣପୁର ପୋଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ଥାନାକୁ ଆଣିଥିଲା ଏବଂ ପରେ ପରିବାର ଲୋକଙ୍କ ଜିମାରେ ଛାଡିଥିଲା । କିନ୍ତୁ ଘରେ ଯାଇ ଅସୁସ୍ଥ ହୋଇପଡ଼ିବାରୁ ତୋଫାନଙ୍କୁ ପରିବାର ଲୋକେ ଆଣି ଗୁରୁତର ଅବସ୍ଥାରେ ବାଣପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତୋଫାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ୨୯ତାରିଖ ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ମୃତକଙ୍କ ପତ୍ନୀ ସସ୍ମିତା ନାୟକ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Tags: