ନାଳରେ ପଡି ନାବାଳିକାଙ୍କ ମୃତ୍ୟୁ,ହତ୍ୟା ଅଭିଯୋଗ ଆଣିଲେ ସମ୍ପର୍କୀୟ
ସମ୍ବଲପୁର : ବୁଧବାର ଭୋର ସମୟରେ ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ଶାନ୍ତି ନଗର ଠାରେ ଡ୍ରେନ ଭିତରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ସାଇଶ୍ରଦ୍ଧା ମିଶ୍ର । ଡ୍ରେନ ନିକଟରେ ତାଙ୍କର ସ୍କୁଟି ପଡି ରହିଥିଲା । ସେ ଶାନ୍ତି ନଗର ସ୍ଥିତ ନିଜ ଅଜା ଆଈଙ୍କ ସହ ରହୁଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି ।
୨୦୧୪ରେ ସାଇଶ୍ରଦ୍ଧା ମିଶ୍ରଙ୍କ ବାପାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । କିଛି ବର୍ଷ ପୂର୍ବେ ତାଙ୍କ ମା'ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ତେବେ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିଲା ବୋଲି ସେତେବେଳେ ଥାନାରେ ଅଭିଯୋଗ ହୋଇଥିଲା । ସେହି ଦିନଠାରୁ ସାଇଶ୍ରଦ୍ଧା ଶାନ୍ତିନଗର ଠାରେ ଥିବା ଅଜା ଆଈଙ୍କ ସହ ରହୁଥିଲେ । ଘଟଣା ଦିନ ଭୋର ୫ ଟାରେ ସାଇ କୌଣସି କାମରେ ସ୍କୁଟି ନେଇ ବାହାରକୁ ଯାଉଥିବାବେଳ ଘର ସାମ୍ନାରେ ଥିବା ନାଳରେ ତାଙ୍କ ମୃତଦେହ ପଡିଥିବାର ଦେଖାଯାଇଥିଲା । ମୁହଁ ଏବଂ ହାତ ଗୋଡ଼ରେ ଆଘାତ ରହିଥିଲା । ତେବେ ତାଙ୍କୁ ହତ୍ୟା କରି ନାଳରେ ଫୋପାଡ଼ି ଦେଇଥିବା ତାଙ୍କ ଅଜା ଅଶୋକ ମିଶ୍ର ଓ ଆଈ ସୁରେଖା ମିଶ୍ର ଥାନାରେ ଅଭିଯୋଗ କରିଛନ୍ତି । କାରଣ ଘର ସାମ୍ନାରେ ଥିବା ନାଳରେ କିପରି ଭାବରେ ପଡିଯାଇ ଜଣଙ୍କର ମୃତ୍ୟୁ ଘଟିବ ବୋଲି ସେ କହିଛନ୍ତି I ଏ ସମ୍ପର୍କରେ ଅଭିଯୋଗ ହେବାରୁ ଅଇଁଠାପାଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।
ଅନ୍ୟପଟେ ସମ୍ପତି ପାଇଁ ସାଇଶ୍ରଦ୍ଧା ଙ୍କୁ ହତ୍ୟା କରାଯାଇଥିବା ଘଟଣାକୁ ଖଣ୍ଡକ କରିଛନ୍ତି ତାଙ୍କ ପିଉସୀ ।


