ବନ୍ଧା ହେଲେ କୋଟିପତି ଫରେଷ୍ଟର
ଭୁବନେଶ୍ୱର : ଭିଜିଲାନ୍ସ ଚଢ଼ାଉ ପରେ ବନ୍ଧା ହେଲେ କୋଟିପତି ଫରେଷ୍ଟର । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତକାଲି କୋରାପୁଟ ଜିଲ୍ଲା ସେମିଳିଗୁଡା ଡିଭିଜନର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା I ସେମିଳିଗୁଡା,ଭୁବନେଶ୍ୱର ଏବଂ ଜଗତସିଂହପୁର ସ୍ଥିତ ପୈତୃକ ଘର ସମେତ ଏକକାଳୀନ ୪ ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ I ଏହି ସମୟରେ ଭୁବନେଶ୍ୱର ଝାରପଡା ଘରୁ କେଜିଏ ସୁନା, ନଗଦ ୯ ଲକ୍ଷ ୨୮ ହଜାର ୫୦୦ ଟଙ୍କା, ଭୁବନେଶ୍ବରରେ ଥିବା ଦୁଇଟି ବହୁତଳ କୋଠା, ୭ଟି ଦାମୀ ପ୍ଲଟ୍. ୬୬, ୪୨ ଲକ୍ଷ ବ୍ୟାଙ୍କ ଓ ବୀମା ଜମା, ଗୋଟିଏ କାର୍ ଆଦି ଠାବ ହୋଇଥିଲା । ଏହା ସାଙ୍ଗକୁ ଘର ଭିତରେ ଅତ୍ୟାଧୁନିକ ବିଲସମୟ ସାମଗ୍ରୀ ଖଞ୍ଜି ହୋଇ ରହିଥିଲା I
ସମୁଦାୟ ସମ୍ପତ୍ତି ମଧ୍ୟରୁ ଭୁବନେଶ୍ବର ଝାରପଡ଼ାରେ ୨ଟି ତିନି ମହଲା ବିଶିଷ୍ଟ କୋଠା, ସେମିଳିଗୁଡ଼ାରେ ଗୋଟିଏ ଘର, ଭୁବନେଶ୍ବର, ଜଗତସିଂହପୁର ଓ ସେମିଳିଗୁଡ଼ାରେ ଥିବା ୭ଟି ଦାମୀ ପ୍ଲଟ୍, ୧ କେଜି ଓଜନର ସୁନା ଅଳଙ୍କାର, ୨୫୦ ଗ୍ରାମ ଓଜନର ରୁପା ଅଳଙ୍କାର, ଲକ୍ଷାଧିକ ଟଙ୍କା, ବିଦେଶୀ ମୁଦ୍ରା (ଇଣ୍ଡୋନେସିଆର ୨, ଥାଇଲାଣ୍ଡର ୮, ହଂକଂର ୪, ଭିଏତ୍ନାମର ୬, ମାଲେସିଆର ୪), ୨୮ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି ( ଗୋଟିଏ କାର୍, ୩ଟି ବାଇକ୍) ଓ ୩୦ ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର ଭିଜିଲାନ୍ସ ଦଳ ଠାବ ହୋଇଥିଲା । ତେବେ ଫରେଷ୍ଟ ଗାର୍ଡରୁ ଚାକିରି ଆରମ୍ଭ କରି ପଦୋନ୍ନତି ପାଇ ଫରେଷ୍ଟର ହୋଇଥିବା ନିରଞ୍ଜନଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଦଳ ତାଜୁବ୍ ହୋଇଥିଲା । ଜବତ ସମ୍ପତ୍ତିର କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଆଜି ଫରେଷ୍ଟର ଶ୍ରୀ ଶତପଥୀଙ୍କୁ ଭିଜିଲାନ୍ସ ଗିରଫ କରିଛି।



